Odisha Link
Bridging the Missing Links in Odisha

ପିପିଲି ଓ ଡେଲାଙ୍ଗ ଚାହେଁ ପରିବର୍ତ୍ତନ ଚାହେଁ ହିଂସା, ଅରାଜକତା, ଅବହେଳାରୁ ମୁକ୍ତି: ଆଶ୍ରିତ

ପିପିଲି: ପିପିଲି ଓ ଡେଲାଙ୍ଗ ହେଉଛି କଳା ସଂସ୍କୃତିର ମାଟି। ହେଲେ ତାକୁ ରକ୍ତରଂଜିତ କରିଲା କିଏ ? କାହା ପ୍ରରୋଚନାରେ ପିପିଲି ଓ ଡେଲାଙ୍ଗରେ ହୋଇଛି ୩୦ ରାଜନୈତିକ ହତ୍ୟାକାଣ୍ଡ ? କିଏ ହୋଇଛି ଲାଭବାନ, କିଏ ସହିଛି କ୍ଷତି ? କିଏ ମନ୍ତ୍ରୀ-ବିଧାୟକ ହେଲେ ଆଉ କାହାର ପୁଅ ମଲା ବୋଲି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକ ଦୁଃଖ ପ୍ରକାଶ କରି କହିଛନ୍ତି ।

ଚାନ୍ଦୁଆ ପାଇଁ ସାରା ବିଶ୍ୱରେ ନାଁ କମାଇଥିବା ପିପିଲି କେବେ ହତ୍ୟାକାଣ୍ଡ, କେବେ ବୋମାମାଡ ପୁଣି କେବେ ଗଣବଳାତ୍କାର ପାଇଁ ବଦନାମ ହୋଇଛି । ଏବେ ସମୟ ଆସିଛି ପିପିଲି ଓ ଡେଲାଙ୍ଗକୁ ସେହି ଅସାମାଜିକ ତତ୍ୱମାନଙ୍କ କବଜାରୁ ମୁକ୍ତ କରିବା ସହ ପିପିଲି ଓ ଡେଲାଙ୍ଗକୁ ଶାନ୍ତି ଏବଂ ବିକାଶର ରାସ୍ତାରେ ଆଗେଇ ନେବା। ବର୍ଷ ବର୍ଷ ଧରି ପିପିଲି ଓ ଡେଲାଙ୍ଗରେ କେନାଲରେ ପାଣି ଆସୁନି। କେନାଲ ନିର୍ମାଣରେ ଲୋକଙ୍କ ଚାଷ ଜମି ଗଲା । ହେଲେ ପ୍ରତିବଦଳରେ ପାଣି ମିଳିଲା ନାହିଁ। ଯେଉଁଠି ବର୍ଷକୁ ୩ଥର ଫସଲ ହେଉଥିଲା ସେଠି ଏବେ ଥରଟିଏ ଫସଲ ହେଉଛି । ଏଥିପାଇଁ ଦାୟୀ କିଏ ବୋଲି ଆଶ୍ରିତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଫନି ବାତ୍ୟା ପରେ ମୋଦି ସରକାର ବ୍ୟାପକ ଅର୍ଥ ଫନିକ୍ଷତିଗ୍ରସ୍ତକାରୀଙ୍କ ପାଖକୁ ପଠାଇଥିଲେ। କିନ୍ତୁ ଏବେ ବି ଫନି ବିପନ୍ନମାନେପଲିଥିନ ତଳେ ବାସ କରୁଛନ୍ତି । ପିପିଲି ଡେଲାଙ୍ଗର ୨୨ହଜାରରୁ ଅଧିକ ଫନି ବିପନ୍ନଙ୍କ ଟଙ୍କା ଖାଇଛି କିଏ ? ଫନି କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀ, ନଡ଼ିଆ ଚାଷୀ, ପାନଚାଷୀଙ୍କ ଟଙ୍କା ଖାଇଲା କିଏ ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ଘର ନଦେଇ କିଏ ଲୁଟିଲା ବୋଲି ଆଶ୍ରିତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।  ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଲାଗୁ କରିଥିଲେ ।

ବାସ୍ତବରେ ଯୋଗ୍ୟ ଚାଷୀମାନେ ଏ ଯୋଜନାରୁ ବଞ୍ଚିତ ରହିଛନ୍ତି। ଦଳୀୟ ଭିତିରେ କାଳିଆ ଟଙ୍କା ବଣ୍ଟନ କରାଯାଇଛି । କାଳିଆ ଯୋଜନାରେ ଟଙ୍କା ଚାଷୀ ନପାଇ କୁଜିନେତା ପାଇଲେ କିପରି? ବାପାଙ୍କ କେଉଁ ସ୍ୱପ୍ନ କ’ଣ ତାଙ୍କ ପୁଅ ପୂରଣ କରିବେ? ପିପିଲି ଡେଲାଙ୍ଗର ଚାଷୀଙ୍କ ପାଇଁ ୩୫ ବର୍ଷ ମଧ୍ୟରେ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀ କ’ଣ କରିଛନ୍ତି? ଦୁଇଥର କୃଷିମନ୍ତ୍ରୀ ତଥା ୭ଥର ବିଧାୟକ ହୋଇଥିବା ଦିବଙ୍ଗତ ବିଧାୟକଙ୍କ ପିପିଲି ଡେଲାଙ୍ଗ ଅଞ୍ଚଳରେ ଥିବା ଏକମାତ୍ର କୋଲ୍ଡଷ୍ଟୋର ଅଚଳ ହୋଇ ପଡିଛି, କୃଷି ବଜାର ଅଚଳ, ସାର ବିହନ ବ୍ଲକରେ ଉବଲବ୍ଧ ନଥାଏ । ସେହିପରି ଏଠି କୃଷି ଋଣ ଚାଷୀଙ୍କୁ ନଦିଆଯାଇ ଠିକାଦାରଙ୍କୁ ଦିଆଯାଏ ।

ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପ ଆଜି ସଙ୍କଟରେ। ଚାନ୍ଦୁଆ କାରିଗର ପରଘରେ ବାସନ ମାଜୁଛି, ବାଲି ସିମେଂଟ କାମ କରୁଛି ନହେଲେ ରାଜଧାନୀରେ ଶ୍ରମିକ ସାଜିଛି । କଂସା କାରିଗର, କୁମ୍ଭକାର ଆଜି ସର୍ବସ୍ୱାନ୍ତ ହୋଇପଡିଛନ୍ତି । ୨୦କୋଟି ଟଙ୍କା ବ୍ୟୟରେ ପିପିଲି ଠାରେ ନିର୍ମିତ ଚାନ୍ଦୁଆ ଶିଳ୍ପ ଗ୍ରାମ ଏବେ ଭୂତକୋଠି ପାଲଟିଛି। ଏଥିରେ ମାଲାମାଲ ହେଲେ ଯନ୍ତ୍ରୀ, ମନ୍ତ୍ରୀ ଆଉ ଠିକାଦାର । ଚାନ୍ଦୁଆ କାରିଗର, ବ୍ୟବସାୟୀ ଯାହା ପାଇଁ ଏତେ ପଇସା ଖର୍ଚ୍ଚ ହେଲା ତାଙ୍କ କଥା ଚୁଲିକୁ ଗଲା । ୧୯୯୨ରେ ଶୁଭ ପଡିଥିବା ବସଷ୍ଟାଣ୍ଡ ଆଜି ଯାଏଁ ନିର୍ମାଣ ହୋଇପାରିଲାନି। ଏହା କ’ଣ ବାପାଙ୍କ ଅଧୁରା ସ୍ୱପ୍ନ। ଏହି ବସଷ୍ଟାଣ୍ଡକୁ ଶୁଭ ପକାଇଥିଲେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀ। ପିଇବା ପାଣି, ବିଜୁଳି କେବେ ପିପିଲି ଡେଲାଙ୍ଗର ସବୁ ଲୋକଙ୍କ ପାଖରେ ପହଞ୍ଚିବ। କେବେ ସୁଧୁରିବ ସରକାରୀ ସ୍କୁଲ ଓ କଲେଜର ଦୁରାବସ୍ଥା ? ୩୫ ବର୍ଷର ଅଖଣ୍ଡ କ୍ଷମତା ସତ୍ୱେ କାହିଁକି ଏହା ହୋଇପାରିଲା ନାହିଁ ବୋଲି ଆଶ୍ରିତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ପିପିଲି ଏବଂ ଡେଲାଙ୍ଗରେ ସ୍ୱାସ୍ଥ୍ୟ ସେବା କଥା ନକହିଲେ ଭଲ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପରିମାଣର ଡାକ୍ତର ନାହାଁନ୍ତି, ଟେଷ୍ଟିଙ୍ଗ ମେସିନ ନାହିଁ। କେଉଁ ଗୋଟିଏ ବି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁଦିନିଆ ଡାକ୍ତର ନାହାଁନ୍ତି। ପାଳିକରି ଡାକ୍ତର ଆସୁଛନ୍ତି, ସେଥିରେ ସ୍ୱାସ୍ଥ୍ୟ ସେବା ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ପିପିଲି-ଡେଲାଙ୍ଗବାସୀ ବିକାଶ ବାଦରେ ସାମିଲ ହୋଇ ବିଜେପିକୁ ପୂର୍ଣ୍ଣ ସମର୍ଥନ ଦେବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।

ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ବିଜେପି ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ପ୍ରମୁଖ ପିପିଲି ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତକୁ ଯାଇ ଘର ଘର ବୁଲି ପ୍ରଚାର କରିଛନ୍ତି। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଷ୍ଟ୍ରୀୟ ପ୍ରବକ୍ତା ଡା. ସମ୍ବିତ ପାତ୍ର ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର, ପ୍ରଥପ୍ରାନ୍ତ ସଭା, ବାଇକ ରାଲି, ପଦଯାତ୍ରାରେ ସାମିଲ ହୋଇ ପିପିଲି ପରିବର୍ତନରେ ନିଜକୁ ସାମିଲ କରିବା ପାଇଁ ପିପିଲି-ଡେଲାଙ୍ଗବାସୀଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.