Odisha Link
Bridging the Missing Links in Odisha

ଟ୍ରାନ୍ସଜେଣ୍ଡର ଭିକାରୀଙ୍କ ପାଇଁ ଭୁବନେଶ୍ବରରେ ହେବ ଆଶ୍ରୟଗୃହ

ବହୁ ଟ୍ରାନ୍ସଜେଣ୍ଡର ଏବେ ଭିକ୍ଷାବୃତ୍ତିକୁ ଆପଣେଇଥିବା ବେଳେ ସେମାନଙ୍କୁ ଥଇଥାନ କରିବା ଏହି ଗୃହର ଅନ୍ୟତମ ଲକ୍ଷ ବୋଲି ଜଣାପଡ଼ିଛି।

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ବ୍ୟକ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ (ଏସ୍‌ଏସ୍ଇପିଡି) ପକ୍ଷରୁ ଭୁବନେଶ୍ବରରେ ତୃତୀୟଲିଙ୍ଗ ଭିକାରୀଙ୍କ ପାଇଁ ହେବ ସ୍ବତନ୍ତ୍ର ଗୃହ। ଗତକାଲି ଏ ନେଇ ଭୁବନେଶ୍ବର ନଗର ନିଗମ(ବିଏମ୍‌ସି)ର ପ୍ରକଳ୍ପକୁ ବିଭାଗ ମଞ୍ଜୁରୀ ଦେଇଛି।

ଏହି ସ୍ବତନ୍ତ୍ର ଗୃହରେ ୫୦ଟି ଶଯ୍ୟା ରହିବ ଏବଂ ଖୁବ୍‌ ଶୀଘ୍ର ଏ ନେଇ ଯୋଗ୍ୟ ସଂସ୍ଥାମାନଙ୍କ ଠାରୁ ପ୍ରସ୍ତାବ ଆହ୍ବାନ (RFP) କରାଯିବ ବୋଲି ବିଏମ୍‌ସି କମିଶନର୍‌ ପ୍ରେମ ଚନ୍ଦ୍ର ଚୌଧୁରୀ ଜଣାଇଛନ୍ତି।

ବିଏମ୍‌ସିର ଇନକ୍ଲୁସିଭ୍‌ ଡେଭେଲପ୍‌ମେଣ୍ଟ ଷ୍ଟ୍ରାଟେଜିରେ ପୂର୍ବରୁ ମହିଳା ଓ ଶିଶୁ, ଶାରୀରିକ ଓ ମାନସିକ ଅନଗ୍ରସର ତଥା ବୟସ୍କ ଭିକାରୀଙ୍କ ପାଇଁ ତିନୋଟି ସ୍ବତନ୍ତ୍ର ଗୃହର ଯୋଜନା କରାଯାଇଥିଲା। ଏହି ତିନୋଟି ୧୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଗୃହ ପାଇଁ ସଂସ୍ଥା ବଛା ସରିଥିବା ବେଳେ ଖୁବ୍‌ ଶୀଘ୍ର ଆର୍‌ପିଏଫ୍‌ ମାଧ୍ୟମରେ ତୃତୀୟଲିଙ୍ଗ ଭିକାରୀ ଗୃହ ପାଇଁ ମଧ୍ୟ ସଂସ୍ଥା ଚୟନ କରାଯିବ।

ଭୁବନେଶ୍ବର ସହରକୁ ଭିକାରୀମୁକ୍ତ କରିବା ପାଇଁ ବିଏମ୍‌ସି କର୍ତୃପକ୍ଷ ନାନାଦି ପଦକ୍ଷେପ ନେଉଛନ୍ତି। ସହରର ରାସ୍ତାକଡ଼ରେ ଭିକ୍ଷାବୃତ୍ତି ନିଷିଦ୍ଧ କରାଯାଇଥିବା ବେଳେ ରାମମନ୍ଦିରକୁ ଭିକାରୀ ମୁକ୍ତ କରାଯାଇଥିବା ସୂଚନା ଦେଇଛି ବିଏମ୍‌ସି। ବହୁ ଟ୍ରାନ୍ସଜେଣ୍ଡର ଏବେ ଭିକ୍ଷାବୃତ୍ତିକୁ ଆପଣେଇଥିବା ବେଳେ ସେମାନଙ୍କୁ ଥଇଥାନ କରିବା ଏହି ଗୃହର ଅନ୍ୟତମ ଲକ୍ଷ ବୋଲି ଜଣାପଡ଼ିଛି। ହୋଲ୍ଡିଂ ଟାକ୍ସ ଆଦାୟ, ପାର୍କିଂ ସ୍ଥଳ ପରିଚାଳନା ଆଦି ଦାୟିତ୍ବରେ ଟ୍ରାନ୍ସଜେଣ୍ଡରମାନଙ୍କୁ ବ୍ୟବହାର କରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚେଷ୍ଟା କରୁଛି ବିଏମ୍‌ସି।

 

Leave A Reply

Your email address will not be published.