Odisha Link
Bridging the Missing Links in Odisha

ବିନା ଟେଣ୍ଡରରେ କାମ କରୁଛନ୍ତି କେରଳ ଠିକାଦାର

ଡିଏମ୍‌ଏଫ୍‌ ପାଣ୍ଠି ବ୍ୟବହାରରେ ସ୍ବେଚ୍ଛାଚାରିତା ଓ ବ୍ୟାପକ ହରିଲୁଟ୍‌ ନେଇ ୩ ମାସ ତଳେ ଜିଲ୍ଲାର ୫ ଜଣ ବିଧାୟକ ମିଳିତ ଭାବେ ପ୍ରଶ୍ନ ଉଠାଇଥିଲେ। ଏହି ବିଧାୟକମାନେ ଡିଏମ୍‌ଏଫ୍‌ କମିଟିର ସଦସ୍ୟ ଥିଲେ ହେଁ ସେମାନଙ୍କ ଅଜାଣତରେ କୋଟି କୋଟି ଟଙ୍କାର ଠିକାଦାରୀ ବଣ୍ଟାଯାଉଛି ବୋଲି ଅଭିଯୋଗ ଉଠିଥିଲା।

ସୁନ୍ଦରଗଡ଼: କେରଳରୁ ଆସିଥିବା ଜନୈକ ଠିକାଦାରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ବେଳେ ଉକ୍ତ ଠିକାଦାରଙ୍କ ନାମରେ ଥିବା ଏକ ଗାଡ଼ି ଚଢ଼ି ଚର୍ଚ୍ଚାକୁ ଆସିଛନ୍ତି ଜିଲ୍ଲାପାଳ।

ସୁନ୍ଦରଗଡ଼ ଜିଲ୍ଲାପାାଳ ନିଖିଳ ପବନ କଲ୍ୟାଣ ଯେଉଁ ଗାଡ଼ିଟି ଚଢ଼ୁଛନ୍ତି ତାହାର ପଞ୍ଜିକରଣ ନମ୍ବର ହେଉଛି ଓଡି ୧୬ ଇ ୦୦୦୫। ତେବେ ଏ ଗାଡ଼ିଟିର ମାଲିକ ଚେରୁଭେଞ୍ଚାରୀ ପ୍ରିୟା ବୋଲି ଜଣାପଡ଼ିଛି। ୨୦୧୯ ଅଗଷ୍ଟ ୨୦ ତାରିଖରେ ପଞ୍ଜୀକୃତ ହୋଇଥିବା ଏ ଗାଡ଼ିଟି ଜିଲ୍ଲାପାଳ ଚଢ଼ୁଥିବା ବେଳେ ଏ ନେଇ ସ୍ଥାନୀୟ ଅଞ୍ଚଳରେ ଓ ଗଣମାଧ୍ୟମରେ ନାନାଦି ପ୍ରଶ୍ନ ଉଠିଛି। କାରଣ ଚେରୁଭେଞ୍ଚାରୀ ପ୍ରିୟାଙ୍କ ସ୍ବାମୀ ବିଶ୍ବନାଥ ବର୍ତ୍ତମାନ ଜିଲ୍ଲାରେ ଡିଏମ୍‌ଏଫ୍‌ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ) ସମେତ ବିଭିନ୍ନ ଯୋଜନାରେ ଠିକାଦାରି କରି ବ୍ୟାପକ ଅର୍ଥ ହାତେଇଛନ୍ତି। ପତ୍ନୀ ଚେରୁଭେଞ୍ଚାରୀଙ୍କ ନାମରେ ହିଁ ନିଜର ଠିକାସଂସ୍ଥା ଚଳାଇଛନ୍ତି ବିଶ୍ବନାଥ।

ନିଜ ପରିଚୟ ଲୁଚାଇବାକୁ ଗାଡ଼ି ମାଲିକ ପଞ୍ଜୀକରଣ ବେଳେ ଭୁଲ ଠିକଣା ଦେବାକୁ ପଛାଇନାହାନ୍ତି। ଗାଡ଼ି ମାଲିକ ନିଜର ଠିକଣା ସୁନ୍ଦରଗଡ଼ ଜିଲ୍ଲା ବୋଲି ଦର୍ଶାଇଥିଲେ ବି ଯେଉଁ ଠିକଣାଟି ବ୍ୟବହାର କରିଛନ୍ତି ସେପରି କୌଣସି ସ୍ଥାନ ଜିଲ୍ଲାରେ ନଥିବା ଜଣାପଡ଼ିଛି।

ପୂର୍ବରୁ ସୁରେନ୍ଦ୍ର କୁମାର ମୀନା ସୁନ୍ଦରଗଡ଼ର ଜିଲ୍ଲାପାଳ ଥିିବା ସମୟରେ କେରଳରୁ ଏଠାକୁ ଆସିଥିଲେ ଠିକାଦାର ବିଶ୍ବନାଥ। ସେତେବେଳେ ସେ ବିନା କୌଣସି ସରକାରୀ ଅର୍ଥ ବ୍ୟୟରେ ୬୫ ଲକ୍ଷ ଟଙ୍କା ଉପଯୋଗ କରି ଜିଲ୍ଲାପାଳଙ୍କ ବାସଭବନ ମରାମତି କରିବା ନେଇ ଚର୍ଚାକୁ ଆସିଥିଲେ। ପରେପରେ ବିଶ୍ବନାଥଙ୍କୁ ବିନା ଟେଣ୍ଡରରେ ଡିଏମ୍‌ଏଫ୍‌ ପାଣ୍ଠିରୁ ରଙ୍ଗାଢିପା ଓ ରିଜେଣ୍ଟ୍‌ ବଜାର ଗୃହ ନିର୍ମାଣ ପାଇଁ ଯଥାକ୍ରମେ ୩୫ ଲକ୍ଷ ଓ ୫୦ ଲକ୍ଷ ଟଙ୍କା ମିଳିଥିଲା ବୋଲି ଗଣମାଧ୍ୟମରୁ ସୂଚନା ମିଳିଛି।

ତେବେ ଶ୍ରୀ ମୀନା ଏଠାରୁ ବଦଳି ହୋଇ ଓଡ଼ିଆ ଆଇଏଏସ୍‌ ଅଧିକାରୀ ରଶ୍ମିତା ପଣ୍ଡା ସୁନ୍ଦରଗଡ଼ର ଜିଲ୍ଲାପାଳ ଭାବେ ଦାୟିତ୍ବ ନେବା ଦିନଠାରୁ କେରଳୀ ଠିକାଦାର ବିଶ୍ବନାଥ କେଉଁଆଡ଼େ ହଜିଯାଇଥିଲେ। ତାଙ୍କୁ ଆଉ ଏଠାରେ କାମ ମିଳିନଥିଲା। ୨୦୧୯ରେ ନିଖିଳ ପବନ କଲ୍ୟାଣ ଜିଲ୍ଲାପାଳ ହୋଇ ଆସିବା ପରେ ସୁନ୍ଦରଗଡ଼କୁ ପୁଣି ଲେଉଟିଥିଲେ ଠିକାଦାର ବିଶ୍ବନାଥ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୦ରେ ସର୍କିଟ ହାଉସ୍‌ ନବୀକରଣ ପାଇଁ ବିନା ଟେଣ୍ଡରରେ ଏହି କେରଳୀ ଠିକାଦାରଙ୍କୁ ୯୬ ଲକ୍ଷ ଟଙ୍କାର କାମ ଦିଆଯାଇଛି। ଏହା ପରେ ଜିଲ୍ଲା ସଂସ୍କୃତ ଭବନ ମରାମତି ପାଇଁ ତାଙ୍କୁ ୭୦ ଲକ୍ଷ ଟଙ୍କାର କାମ ଦିଆଯାଇଛି। ବିନା ଟେଣ୍ଡରରେ ଏହି ଠିକାଦାରଙ୍କୁ ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ପାକୁ ବିରୋଧ କରି ସେତେବେଳେ ଓଡ଼ିଶା ଠିକାଦାର ମହାସଂଘ ସରକାରଙ୍କ ପାଖରେ ଫେରାଦ ହୋଇଥିଲେ। ଏ ନେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ୨୦୨୦ ଡିସେମ୍ବରରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ହୋଇଥିଲେ ବି ଏଯାବତ୍‌ କୌଣସି ପ୍ରଭାବ ପଡ଼ିଥିବା ଭଳି ମନେହେଉନାହିଁ। ବରଂ ଠିକାଦାର ଜଣକ ଅଧିକରୁ ଅଧିକ କାମ ହାତେଇ ଚାଲିଥିବା ବେଳେ ଜିଲ୍ଲାପାଳ ତାଙ୍କ ପ୍ରଦତ୍ତ ଗାଡ଼ିଟି ନିରନ୍ତର ବ୍ୟବହାର କରି ଚାଲିଛନ୍ତି।

ଖରିଜ ସମ୍ପଦରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାରେ ଡିଏମ୍‌ଏଫ୍‌ ପାଣ୍ଠିରେ ବ୍ୟାପକ ଅର୍ଥ ରହିଛି। ଏହି ଅର୍ଥ ବିନିଯୋଗ କରିବାରେ ଅନ୍ୟ ଖରିଜସମ୍ପଦ ଭରା ଜିଲ୍ଲା ତୁଳନାରେ ସୁନ୍ଦରଗଡ଼ ବେଶ୍‌ ଆଗୁଆ ଥିବା ପ୍ରଚାର ହେଉଥିଲେ ହେଁ ବିଭିନ୍ନ ଯୋଜନାରେ ଅଣଓଡ଼ିଆ ଠିକାଦାରଙ୍କୁ ଅନୁକମ୍ପା ପ୍ରଦର୍ଶନ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟିକରିଛି। ଏଭଳି ଗୋଟିଏ ଧନୀ ଜିଲ୍ଲାରେ ପ୍ରଶାସନର ସର୍ବୋଚ୍ଚ ଅଧିକାରୀଙ୍କୁ ସରକାର ଗାଡ଼ିଟିଏ ଦେଇପାରୁନାହାନ୍ତି ନା ଠିକାଦାରଙ୍କ ଗାଡ଼ି ଚଢ଼ିବା ବୈଧ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୋକ୍ତି ମିଳି ପାରିନାହିଁ।

ସୂଚନାଯୋଗ୍ୟ ଡିଏମ୍‌ଏଫ୍‌ ପାଣ୍ଠି ବ୍ୟବହାରରେ ସ୍ବେଚ୍ଛାଚାରିତା ଓ ବ୍ୟାପକ ହରିଲୁଟ୍‌ ନେଇ ୩ ମାସ ତଳେ ଜିଲ୍ଲାର ୫ ଜଣ ବିଧାୟକ ମିଳିତ ଭାବେ ପ୍ରଶ୍ନ ଉଠାଇଥିଲେ। ଏହି ବିଧାୟକମାନେ ଡିଏମ୍‌ଏଫ୍‌ କମିଟିର ସଦସ୍ୟ ଥିଲେ ହେଁ ସେମାନଙ୍କ ଅଜାଣତରେ କୋଟି କୋଟି ଟଙ୍କାର ଠିକାଦାରୀ ବଣ୍ଟାଯାଉଛି ବୋଲି ସେତେବେଳେ ଅଭିଯୋଗ ଉଠିଥିଲା।

Leave A Reply

Your email address will not be published.