Odisha Link
Bridging the Missing Links in Odisha

କରୋନା ସମୀକ୍ଷା: ପ୍ରବାସୀଙ୍କ ଫେରିବା ନେଇ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ରାଜ୍ୟ ଲକଡାଉନ ଘୋଷଣା କରିଥିବା ବେଳେ ଆଜି କରୋନା ସ୍ଥିତି ସମୀକ୍ଷା କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ହସ୍ପିଟାଲରେ ଅକ୍ସିଜେନ ସିଷ୍ଟମ ସହିତ ଶଯ୍ୟା ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ୬ ସୂତ୍ରୀ ମନ୍ତ୍ର ଦେଇଛନ୍ତି। ସଂକ୍ରମିତଙ୍କ ପାଇଁ ଡାକ୍ତରଖାନାରେ ବେଡ୍ ଓ ଅକ୍ସିଜେନ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଜ୍ୟରେ ସ୍ଥିତି ସଙ୍କଟାପନ୍ନ ଥିବା ବେଳେ ଆମ ରାଜ୍ୟରେ ଆବଶ୍ୟକ ଔଷଧ ମହଜୁଦ ଅଛି।

ବୈଠକରେ ଆଇଇସି କ୍ୟାମ୍ପେନିଂକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଅନ୍ୟ ରାଜ୍ୟର ସ୍ଥିତି ଭଳି ଓଡ଼ିଶାରେ ଯେମିତି ନହେବ ସେଥିପାଇଁ ମଧ୍ୟ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ କଟକଣାକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସହଯୋଗ କରିବାକୁ ନିବେଦନ କରିଛନ୍ତି। ସ୍ଥିତି ଅଣାୟତ ହେଲେ କରୋନାକୁ ଆୟତ୍ତ କରିବା କଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସଂକ୍ରମଣ ରୋକିବା ପାଇଁ ପ୍ରବାସୀଙ୍କୁ ଠିକରେ ଥଇଥାନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏଥିରେ ମିଶନ ଶକ୍ତି ଓ ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରକ୍ରିୟାରେ ସାମିଲ୍ କରିବାକୁ ସେ କହିଛନ୍ତି। ଏହାସହ କରୋନାର ଦ୍ୱିତୀୟ ଲହର ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରାଯିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ପ୍ରବାସୀଙ୍କ ଫେରିବା ନେଇ ଜିଲ୍ଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ଓ ସେମାନଙ୍କ ଟେଷ୍ଟିଂ ନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଲକଡାଉନ୍ ବିନା କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ମାସ୍କ ଜରୁରୀ। ଏହା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି।

ରାଜ୍ୟରେ ଅକ୍ସିଜେନ୍ ଓ ଶଯ୍ୟାର ଅଭାବ ନଥିଲେ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିବାକୁ ସେ କହିଛନ୍ତି। ସମୀକ୍ଷା ବୈଠକରେ ସେ କହିଥିଲେ ଯେ, କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଦ୍ୱାରା ଅନେକ ରାଜ୍ୟ ସାଂଘାତିକ ପ୍ରଭାବିତ ହୋଇଛନ୍ତି। ଉପଯୁକ୍ତ ପ୍ରସ୍ତୁତି ଓ ପ୍ରୋଆକ୍ଟିଭ୍ ପଦକ୍ଷେପ କାରଣରୁ ଆମେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛେ ସତ କିନ୍ତୁ ଆମକୁ ଖରାପ ପରିସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ, ଡିଜିପି, ସମସ୍ତ ଜିଲ୍ଲାପାଳ, ଏସପି ସାମିଲ୍ ଥିଲେ।

Leave A Reply

Your email address will not be published.