Odisha Link
Bridging the Missing Links in Odisha

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା

କୋଲକାତା: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନିଜର ୩ୟ ଇନିଂସ ଆରମ୍ଭ କରିବେ ମମତା। ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ମୋଟ ୨୧୧ଟି ଆସନରେ ଜିତି ପୂର୍ଣ୍ଣ ବହୁମତ ପାଇବା ପରେ ଦିଦି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଦଳର ବିପୁଳ ବିଜୟ ହୋଇଛି। କିନ୍ତୁ ନନ୍ଦୀଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଛନ୍ତି ମମତା ବାନାର୍ଜୀ। ମାତ୍ର ଦଳର ବରିଷ୍ଠ ନେତା ଏବଂ ନବ ନିର୍ବାଚିତ ବିଧାୟକଙ୍କମାନଙ୍କ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳ ନେତା ଘୋଷିତ କରାଯାଇଛି।

ଭାରତୀୟ ସମ୍ବିଧାନ ଅନୁଯାୟୀର ଧାରା ୧୬୪ (୪) ଅନୁଯାୟୀ, ‘ବିଧାନସଭାକୁ ନିର୍ବାଚିତ ହୋଇନଥିବା ଜଣେ ସଦସ୍ୟ ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିପାରିବେ। ଏହି ୬ ମାସ ମଧ୍ୟରେ ତାଙ୍କୁ ଉପ ନିର୍ବାଚନରେ ବଜୟୀ ହେବାକୁ ପଡିବ। ଯଦି ସେ ଉପ ନିର୍ବାଚନରେ ମଧ୍ୟ ପରାଜିତ ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ ହେବେ।

ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ପଶ୍ଚିମବଙ୍ଗ, ଆସାମ ଏବଂ କେରଳରେ କ୍ଷମତାରେ ଥିବା ଟିଏମସି, ବିଜେପି ଓ ଏଲଡିଏଫ ପୁଣିଥରେ ସରକାର ଗଢିବାକୁ ଯାଉଛନ୍ତି। ନିରାଡମ୍ବର ଭାବେ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କେରଳରେ ଯଦିଓ ବିଜୟନ ପୁଣି ମୁଖ୍ୟମନ୍ତ୍ରୀ ହେବାନେଇ କୌଣସି ଦ୍ୱନ୍ଦ୍ୱ ନାହିଁ, ତଥାପି ସରକାର କେବେ ଗଠନ ହେବ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଆସାମରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିନାହିଁ। ସର୍ବାନନ୍ଦ ସୋନୱାଲଙ୍କ ଅପେକ୍ଷା ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ଆସନ ଦୌଡର ଆଗରେ ଅଛନ୍ତି। ୩୦ ଆସନ ବିଶିଷ୍ଟ ପୁଡୁଚେରୀରେ ଏନଡିଏ ୧୬ଟି ଆସନରେ ବିଜୟୀ ହୋଇଛି। ଏଠାରେ ଏନ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ ରହିଛି।

Leave A Reply

Your email address will not be published.