Odisha Link
Bridging the Missing Links in Odisha

ସମ ଅଲ୍ଟିମେଟ ମେଡିକେଆରରେ ଓଡ଼ିଶାର ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ମାରାତ୍ମକ ବ୍ଲାକ ଫଙ୍ଗସ୍ ରୋଗୀ ସମ୍ ଅଲ୍ଟିମେଟରେ ଚିହ୍ନଟ ହୋଇଛି। ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବା ପରେ ସମ୍ପୃକ୍ତ ରୋଗୀ ଜଣକ ସମମର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସେ Mucromycosis ବା ବ୍ଲାକ ଫଂଗସ ସଂକ୍ରମିତ ଥିବା ଜଣାପଡିଛି। ସମ ଅଲ୍ଟିମେଟରେ ଡାକ୍ତର ସାହୁ ଓ ତାଙ୍କ ଟିମ ଚିକିତ୍ସା ଜାରି ରଖିଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏକ ଇସ୍ତାହାର ଦ୍ଵାରା ସ୍ପଷ୍ଟ କରିଛି। ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ୭୧ ବର୍ଷ ବୟସ୍କ ଏହି ରୋଗୀ ମଧ୍ୟ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ। ଗତ ୨୦ ତାରିଖରେ ତାଙ୍କଠାରେ କୋଭିଡ୍ ଚିହ୍ନଟ ହୋଇଥିଲା ଓ ସେ ଘରେ ସଂଗରୋଧ ରେ ଥିଲେ। ତାଙ୍କର ଆଖି ହଠାତ୍ ଫୁଲିବାରୁ ଏବଂ ନାକରୁ କଳା ପାଣି ବୋହିବାରୁ ସେ ସମମକୁ ଚିକିତ୍ସା ପାଇଁ ଶନିବାର ଦିନ ଆସିଥିଲେ । ପରୀକ୍ଷାରୁ ତାଙ୍କଠାରେ ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଘରେ ସେ ଏକ ଅବ୍ୟବହୃତ ଏୟାର କୁଲର୍ ବ୍ୟବହାର କରିଥିଲେ ଓ ଏହାର ପାଣି ମଧ୍ୟ ବଦଳା ଯାଇନଥିଲା। ଏଥିରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ତେବେ ରୋଗୀଙ୍କ ନମୁନାକୁ ଅଧିକ ପରୀକ୍ଷା ନିମନ୍ତେ ପଠାଯାଇଥିବା ସରକାରୀ ଇସ୍ତାହାରରେ କୁହାଯାଇଛି।

ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସାହୁଙ୍କ ମତରେ, କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗୀ ଓ କିଡନୀ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ବ୍ଲାକ୍ ଫଙ୍ଗସ୍ ଆକ୍ରମଣର ସମ୍ଭାବନା ରହୁଛି। ବ୍ଲାକ୍ ଫଙ୍ଗସ୍ ହେଲେ ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ବିନ୍ଧେ, ନାକରୁ କଳାରଙ୍ଗର ପାଣି ବାହାରେ ଏବଂ ପାଟିରେ ଯନ୍ତ୍ରଣା ହୁଏ। ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା କରିବା ନିହାତି ଦରକାର ବୋଲି ଡାକ୍ତର ସାହୁ କହିଛନ୍ତି ।

ସରକାରୀ ଇସ୍ତାହାରରେ ରୋଗୀ ମଧୁମେହ ରୋଗରେ ପୀଡ଼ିତ ଥିବାରୁ Mucromycosis ରେ ସଂକ୍ରମିତ ହୋଇଥିବା ସମ୍ଭବ ବୋଲି କୁହାଯାଇଛି। ସେ ପୁରୁଣା ଏୟାର କୁଲାର ବ୍ୟବହାର କରି ସଂକ୍ରମିତ ହୋଇଥାଇ ପାରନ୍ତି।

Leave A Reply

Your email address will not be published.