Odisha Link
Bridging the Missing Links in Odisha

ଲକ୍‌ଡାଉନ ସମୟରେ ଲୋକଙ୍କ ପାଇଁ ସାହା ହୋଇଛନ୍ତି ରାଜୀବ

ଭୁବନେଶ୍ୱର: କରୋନା ମହାମାରୀ ଚେନ୍‌ ଭାଙ୍ଗିବା ପାଇଁ ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଜାରି କରାଯାଇଛି। ଦିନ ୧୨ଟା ପରେ ଖାଁ ଖାଁ ସାରା ରାଜଧାନୀ। ଫଳରେ ଅନେକ କାମଦାମ ନପାଇ ଅଭାବରେ ରହିବାକୁ ବାଧ୍ୟ ହେଉଛନ୍ତି। ହୋଟେଲ ବଜାର ଖୋଲୁନଥିବାରୁ ଭଲରେ ଗଣ୍ଡେ ଖାଇପାରୁନାହାନ୍ତି। ଏଭଳି ସମୟରେ ସମସ୍ତଙ୍କ ପାଖରେ ପହଁଚି ପେଟ କଥା ବୁଝୁଛନ୍ତି ରାଜୀବ ପଟ୍ଟନାୟକ।

ରାଜୀବ ହେଉଛନ୍ତି ଯୁବ କଂଗ୍ରେସର ଉପସଭାପତି। ନିର୍ବାଚନୀ ରାଜନୀତିରେ ସେ ଥରେ ବିଫଳ ହୋଇଥିଲେବି ସମାଜସେବାକୁ କିନ୍ତୁ ଭୁଲିପାରିନାହାନ୍ତି। କରୋନାର ଦ୍ୱିତୀୟ ଲହରର ଭୟଙ୍କର ପ୍ରଭାବ ଯୋଗୁଁ ଅନେକ ଘରୁ ପଦାକୁ ବାହାରୁ ନଥିବାବେଳେ ନିଜ ସହଯୋଗୀମାନଙ୍କୁ ସାଙ୍ଗରେ ଧରି ରାଜୀବ କିନ୍ତୁ ରାଜଧାନୀ ସାରା ବୁଲୁଛନ୍ତି। ପ୍ରତିଦିନ ସେ ହଜାର ହଜାର ଲୋକଙ୍କୁ ଖାଇବା ଯୋଗାଇ ଦେଉଛନ୍ତି। ଖାଲି ବସ୍ତିବାସିନ୍ଦା ନୁହଁନ୍ତି କରୋନା ସଂଗରୋଧରେ ଥିବା ଲୋକଙ୍କ ପାଖରେ ବି ଶ୍ରୀ ପଟ୍ଟନାୟକ ପହଁଚି ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେଇ ଆସୁଛନ୍ତି।

ଏନେଇ ଶ୍ରୀ ପଟ୍ଟନାୟକ କହିଛନ୍ତିଯେ, କରୋନା ଲୋକଙ୍କ ସ୍ଥିତିକୁ ଦୋହଲାଇ ଦେଇଛି। କିଏ ଟଙ୍କା ଅଭାବରୁ ତ ଆଉ କିଏ ଟଙ୍କା ଥିଲେବି ହୋଟେଲ ଖୋଲୁନଥିବାରୁ ଭଲରେ ଖାଇପାରୁନାହାନ୍ତି। ତେଣୁ ଲକଡାଉନ ସମୟରେ ଯେଭଳି କେହି ଭୋକରେ ନରହିବେ ସେଥିପାଇଁ ସେ ଓ ତାଙ୍କର ସହଯୋଗୀମାନେ ସଂକଳ୍ପ ନେଇଛନ୍ତି।

ସେ ଦି ଚାରିଜଣ ଏଭଳି ଉଦ୍ୟମ ଆରମ୍ଭ କରିଥିବାବେଳେ ଏବେ ବହୁ ଯୁବସାଥି ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଯାଇଛନ୍ତି। ସେହିପରି ସରକାର ତୁରନ୍ତ ଟିକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଆବଶ୍ୟକୀୟ ଅକ୍ସିଜେନ ସିଲିଣ୍ଡର, ଔଷଧ ପତ୍ର ମହଜୁଦ ରଖିବାକୁ ସେ ଦାବି କରିଛନ୍ତି।

Leave A Reply

Your email address will not be published.