Odisha Link
Bridging the Missing Links in Odisha

ଓଡ଼ିଶାରେ ଭାରତୀୟ ଷ୍ଟ୍ରେନ୍ ବି. ୧.୬୧୭ ଚିହ୍ନଟ, ୭୦ ଜଣଙ୍କୁ କରିଛି ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହୋଇଛି କରୋନାର ଭୟଙ୍କର ଭାରତୀୟ ଷ୍ଟ୍ରେନ୍‌ (ବି.୧.୬୧୭)। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗତକାଲି ଏହି ଘାତକ ଟ୍ରିପଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ସମ୍ପର୍କରେ ସୂଚନା ଦେଇଥିଲା। ଓଡ଼ିଶାରେ ୭୦ ଜଣଙ୍କଠାରେ ବିପଜ୍ଜନକ ଏହି ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ଏଥିସହ ବ୍ରିଟେନ୍‌ ଷ୍ଟ୍ରେନ୍‌ (ବି.୧.୧.୭)ର ୩୦ ଜଣଙ୍କଠାରେ ଠାବ ହୋଇଛି।

ଭାରତୀୟ ଷ୍ଟ୍ରେନ୍‌ (ବି.୧.୬୧୭) ପ୍ରଥମେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିଲା। ପରେ ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ମଧ୍ୟ ଦେଖାଯାଇଥିଲା। ଏହି ନୂଆ ଷ୍ଟ୍ରେନ୍‌ ଦ୍ରୁତ ଗତିରେ ସଂକ୍ରମଣ କରିବା ସହ ଅଧିକ ଜୀବନ ନେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଥିଲା। ଏହି ଭୂତାଣୁ ଓଡ଼ିଶାରେ ରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି।

ଏପଟେ ରାଜ୍ୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ ପରେ ବି ରାଜ୍ୟରେ ସଂକ୍ରମଣରେ ବ୍ରେକ୍‌ ଲାଗୁନି। ଆଜି ୧୦,୯୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପରୀକ୍ଷା ହେଉଥିବା ୧୧ ନମୁନାରେ ୨ଟି ପଜିଟିଭ୍‌ ରହୁଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ସକ୍ରିୟ ରୋଗୀ ସଂଖ୍ୟା ବଢୁଛି। ଏବେ ଲକ୍‌ଡାଉନ, ସଟ୍‌ଡାଉନ ଚାଲିଛି। ଲୋକେ ସଚେତନ ନହେଲେ, ରୋଗ ନିୟନ୍ତ୍ରଣ ହେବନି। ମାସ୍କ, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇଲେ ହିଁ କରୋନାଠୁ ରକ୍ଷା ପାଇବା।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଲୋଚନା କରିଛନ୍ତି। ରାଜ୍ୟକୁ ତୁରନ୍ତ ୨୫ ଲକ୍ଷ ଡୋଜ୍‌ ଟିକା ସହ ୩୯ ହଜାର ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ରାଜ୍ୟ ଦାବି ରଖିଛି। ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ, ହେଲେ ସିଲିଣ୍ଡରର ଅଭାବ ରହିଛି। ଏହାବାଦ୍‌ ଅଧିକ ପିପିଇ କିଟ୍‌ ଓ ର‍୍ୟାପିଡ୍ ଆଣ୍ଟିଜେନ୍‌ କିଟ୍‌ ଦେବାକୁ ମଧ୍ୟ ଦାବି ରଖିଥିବା ସ୍ୱାସ୍ଥ୍ୟମନ୍ତ୍ରୀ।

Leave A Reply

Your email address will not be published.