Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଧାମି

ଡେରାଡୁନ୍: ୪ ମାସ ମଧ୍ୟରେ ଉତ୍ତରାଖଣ୍ଡ ଦେଖିଲାଣି ୩ ମୁଖ୍ୟମନ୍ତ୍ରୀ। ତୀରଥ ସିଂହ ରାଓ୍ବତଙ୍କ ଇସ୍ତଫା ପରେ ନୂଆ ମୂଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପୁଷ୍କର ସିଂହ ଧାମି। ସେ ଆଜି ସନ୍ଧ୍ୟାରେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିସହ ସେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଶନିବାର ଡେରାଡୁନ୍‌ରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାମ ଉପରେ ମୋହର ବାଜିଥିଲା।କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପ୍ରଦେଶ ପ୍ରଭାରୀ ଦୁଷ୍ୟନ୍ତ କୁମାର ଗୌତମଙ୍କ ଉପସ୍ଥିତିରେ ବିଜେପିର ୫୭ ଜଣ ବିଧାୟକ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଅନ୍ୟ କାହାର ନାମ ସଂପର୍କରେ ଚର୍ଚ୍ଚା ହୋଇନଥିଲା। କେବଳ ପୁଷ୍କର ସିଂହ ଧାମିଙ୍କ ନାମ ଉଠାଯାଇଥିଲା। ସର୍ବସହମତିରେ ତାଙ୍କୁ ବିଧାୟକ ଦଳର ନେତା ଓ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଥିଲା।

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂହ ଧାମିଙ୍କ ନାମ ଉପରେ ଶନିବାର ମୋହର ବାଜିବା ପରେ ସେ କହିଛନ୍ତି ଯେ, ‘ଦଳ ଜଣେ ସାଧାରଣ କର୍ମକର୍ତ୍ତା, ଜଣେ ପୂର୍ବତନ ସୈନିକଙ୍କ ପୁଅକୁ ରାଜ୍ୟର ସେବା ପାଇଁ ବାଛିଛି। ଆମେ ଲୋକଙ୍କ ମଙ୍ଗଳ ପାଇଁ ଏକାଠି ହୋଇ କାମ କରିବୁ । କମ୍‌ ସମୟରେ ଲୋକଙ୍କ ସେବା କରିବାର ଚାଲେଞ୍ଜକୁ ମୁଁ ସ୍ୱୀକାର କରୁଛି। ମୋତେ ଏହି ସୁଯୋଗ ଦେଇଥିବାରୁ ଦଳ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ପୁଷ୍କର ସିଂହ ଧାମି ୧୯୯୦ରୁ ୧୯୯୯ ପର୍ଯ୍ୟନ୍ତ ଜିଲ୍ଲାରୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବିଭିନ୍ନ ପଦରେ ରହି କାର୍ଯ୍ୟ କରିଥିଲେ। ଏହି ସମୟରେ ପ୍ରଦେଶ ମନ୍ତ୍ରୀ ଭାବେ ଲକ୍ଷ୍ନୌରେ ହୋଇଥିବା ଏବିଭିପିର ରାଷ୍ଟ୍ରୀୟ ଅଧିବେଶନର ସଂଯୋଜକ ଭୂମିକା ନିଭାଇଥିଲେ ଧାମି। ଉତ୍ତରାଖଣ୍ଡ ରାଜ୍ୟ ଭାବେ ମାନ୍ୟତା ପାଇବା ପର ଧାମି ସିଏମ କୋଶ୍ୟାରିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ। ପୁଷ୍କର ଧାମୀ ୨୦୦୨ରୁ ୨୦୦୮ ମଧ୍ୟରେ ଲଗାତାର ବିଜେପି ଯୁବ ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ରହିଥିଲେ।

Leave A Reply

Your email address will not be published.