Odisha Link
Bridging the Missing Links in Odisha

ବିନା ଭକ୍ତରେ ହେବ ଗଣେଶ ପୂଜା ଓ ଦୁର୍ଗା ପୂଜା, ଆସିଲା ସ୍ୱତନ୍ତ୍ର ଗାଇଡଲାଇନ୍

ଭୁବନେଶ୍ବର: ବିନା ଭକ୍ତରେ ହେବ ଗଣେଶ ପୂଜା ଓ ଦୁର୍ଗା ପୂଜା। ପାର୍ବଣ ପାଇଁ ଆସିଲା ଏସଆରସିଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍। ପୂଜା ପାର୍ବଣ ବେଳେ ଜନସମାଗମ ଅଧିକ ହେଉଥିବାରୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି ।

ଗାଇଡଲାଇନ୍‌ ମୁତାବକ, ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆଦିରେ ଯେଭଳି ଅଧିକ ଜନସମାଗମ ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ। ପୂଜା ମଣ୍ଡପର ଆୟୋଜକମାନେ ଜିଲ୍ଲାପାଳ କିମ୍ବା କମିଶନରେଟ ପୁଲିସର ଅନୁମତି ନେବା ବାଧ୍ୟତାମୂଳକ। ଘର ଭିତରେ ବା ଇନଡେ଼ାରରେ ହିଁ ପୂଜା ହେବ। କେବଳ ବିଧି ପରମ୍ପରା ରକ୍ଷା ପାଇଁ ପୂଜା ହେବ। ଯେଉଁଥିରେ ସର୍ବସାଧାରଣ ସାମିଲ ହେବେ ନାହିଁ।

ମୂର୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରହିବ। ପୂଜା ମଣ୍ଡପରେ କର୍ତା ଓ ପୁରୋହିତଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେ ନାହିଁ। ପୂଜା ମଣ୍ଡପରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ।

ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ଗାଇଡ଼ଲାଇନ ମାନିବାକୁ ଆୟୋଜକ ବାଧ୍ୟତାମୂଳକ।ବିସର୍ଜନ ପାଇଁ ଶୋଭାଯାତ୍ରା ହେବ ନାହିଁ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ହୋଇଥିବା କୃତ୍ରିମ ଜଳାଶୟରେ ମୂର୍ତି ବିସର୍ଜନ କରାଯିବ। ପୂଜା ମଣ୍ଡପରେ କୌଣସି ପ୍ରକାର ସଙ୍ଗୀତ ବା ମନୋରଂଜନ କାର୍ଯ୍ୟକ୍ରମ କରାଯିବ ନାହିଁ। ଶିକ୍ଷାନୁଷ୍ଠାନରେ ସୀମିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଣେଶ ପୂଜା କରାଯିବ। ପୂଜାରେ କୌଣସି ପ୍ରକାର ଗୋଷ୍ଠୀ ଭୋଜନ ବ୍ୟବସ୍ଥା କରାଯିବ ନାହିଁ। ଯେଉଁମାନେ ଏହି ସବୁ ଗାଇଡ଼ଲାଇନର ଅନୁପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.