Odisha Link
Bridging the Missing Links in Odisha

ପଦ୍ମପୁର ଜିଲ୍ଲା ମାନ୍ୟତା ପ୍ରସଙ୍ଗ: କମିଟି କହିଲା ପ୍ରତିଶୃତି ନୁହେଁ ଘୋଷଣା ଦରକାର

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ପାଣିପାଗ ମାହୋଲ ପୁରା ଗରମ। ପଦ୍ମପୁରବାସୀଙ୍କ ମନ ଜିଣି ଭୋଟ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛି ଉଦ୍ୟମ। ଏସବୁ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଜୋର ଧରିଛି ଆନ୍ଦୋଳନ। ଏପରିକି ଧାରଣା ଦେଇ ବସିଛନ୍ତି ଲୋକେ। ଏସବୁ ମଧ୍ୟରେ ଧାରଣାସ୍ଥଳକୁ ଯାଇ ଅର୍ଥମନ୍ତ୍ରୀ ନିର‍ଞ୍ଜନ ପୂଜାରୀ ଏବଂ ବିଧାୟକ ସୁଶାନ୍ତ ସିଂହ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ କୌଣସି ସୁଫଳ ମିଳିପାରି ନାହିଁ।

ଆନ୍ଦୋଳନକାରୀଙ୍କ ଆଗରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲା ଗଠନ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ପ୍ରତିନିଧି ଦଳ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଆନ୍ଦୋଳନରେ ବସିଥିବା କ୍ରିୟାନୁଷ୍ଠାନ କମିଟି ସହମତ ପ୍ରକାଶ କରି ନଥିଲା। ପ୍ରତିଶ୍ରୁତି ନୁହେଁ, ଘୋଷଣା କରିବାକୁ ଦାବି କରିଥିଲେ ଆନ୍ଦୋଳନକାରୀ। ଆଗାମୀ ଦିନରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି।

ଏଥିସହିତ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ ନେଇ ଆଲୋଚନା କରିଥିଲେ। ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପୁରୁଣା ଘଟଣାବଳୀକୁ ନେଇ ଏବେ କାହିଁକି ପ୍ରେସ୍ ବିଜ୍ଞପ୍ତି ଜାରି ହେଲା ବୋଲି କମିଟି ପ୍ରଶ୍ନ କରିଛି। ସୂଚନାଥାଉକି, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଧାୟକ ଥିବା ସମୟରେ ୨୦୧୭ ମସିହାରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଦିଆଯିବ କି? ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ। ପ୍ରଦୀପଙ୍କ ଏହି ପ୍ରଶ୍ନରେ ସେତେବଳର ମନ୍ତ୍ରୀ ମହେଶ୍ବର ମହାନ୍ତି ଉତ୍ତର ରଖିଥିଲେ ଯେ, ପଦ୍ମପୁର ସବ୍‌ ଡିଭିଜନକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାପାଇଁ ରାଜ୍ୟ ସରକାରଙ୍କର ବର୍ତ୍ତମାନ ପାଇଁ କୌଣସି ପ୍ରସ୍ତାବ ନାହିଁ।

Leave A Reply

Your email address will not be published.