Odisha Link
Bridging the Missing Links in Odisha

ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର, ବିଜେଡି ସୁପ୍ରିମୋ ଦେଲେ ପ୍ରତିଶ୍ରୁତି

ଓଏଲ୍‌ ବ୍ୟୁରୋ: ଏଣିକି ଓଡ଼ିଶାର ଜିଲ୍ଲା ସଂଖ୍ୟା ଆଉ ୩୦ ହୋଇ ରହିବ ନାହିଁ। କାରଣ ଖୁବଶୀଘ୍ର ୩୧ ନମ୍ବର ଜିଲ୍ଲା ଭାବେ ସାମିଲ ହେବାକୁ ଯାଉଛି ପଦ୍ମପୁର। ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା। ଏଭଳି କିଛି ପ୍ରତିଶ୍ରୁତି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏପରିକି ପଦ୍ମପୁର ଉପନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ଜିଲ୍ଲା ପ୍ରସଙ୍ଗ ସ୍ଥାନ ପାଇବ ବୋଲି ନବୀନ ପଟ୍ଟନାୟକ କହିଥିବା ନେଇ କହିଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ।

କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ପ୍ରତିକ୍ରିୟା ମୁତାବିକ, ପଦ୍ମପୁର ଉପନିର୍ବାଚନ ନିମନ୍ତେ ଆଚରଣ ସଂହିତା ଲାଗୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ବିଜେଡିର ମୁଖିଆ ହିସାବରେ ଅଞ୍ଚଳବାସୀଙ୍କୁ ମିଳିଛି ଏହି ପ୍ରତିଶ୍ରୁତି। ଅପରପକ୍ଷେ ଏହି ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ପଦ୍ମପୁରବାସୀ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି କହିଛନ୍ତି।

ଆଜି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ନବୀନ ନିବାସରୁ ବାହାରି କମିଟିର ସଦସ୍ୟମାନେ ଆଲୋଚନା ସଫଳ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ହେଲେ ଏ ସମ୍ପର୍କରେ ଇସ୍ତାହାରରେ ଉଲ୍ଲେଖ ହେବା ପରେ ହିଁ ପଦ୍ମପୁରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.