Odisha Link
Bridging the Missing Links in Odisha

ମିଳିଲାନି ଆଡମିଟ୍ କାର୍ଡ: ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ଦେଲେ ଧାରଣା

ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଗଲା। ୩୭୦ ଟଙ୍କା ଲେଖାଏଁ ଆମଠାରୁ ପ୍ରଧାନଶିକ୍ଷକ ନେଇଥିବାବେଳେ ଆଡମିଟ କାର୍ଡ ଦେଲେ ନାହିଁ।

ଓଏଲ୍ ବ୍ୟୁରୋ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ କିଛି ଛାତ୍ରଛାତ୍ରୀ। ଟିଟିଲାଗଡ ବ୍ଳକ ଅନ୍ତର୍ଗତ ପରାସରା ୫-ଟି ପଞ୍ଚାୟତ ହାଇସ୍କୁଲର ୪୭ ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଶନିବାର ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ସହ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।

ଅଭିଭାବକ ମାନେ କହିଛନ୍ତି ଆମ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଗଲା। ୩୭୦ ଟଙ୍କା ଲେଖାଏଁ ଆମଠାରୁ ପ୍ରଧାନଶିକ୍ଷକ ନେଇଥିବାବେଳେ ଆଡମିଟ କାର୍ଡ ଦେଲେ ନାହିଁ। ଯେଉଁ କାରଣରୁ ଛାତ୍ରଛାତ୍ରୀଙ୍କର ବର୍ଷଟିଏ ନଷ୍ଟ ହୋଇଛି। ଟିଟିଲାଗଡ ଭାରପ୍ରାପ୍ତ ଉପଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କୁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ଟିଟିଲାଗଡ ଗରିବ ସେନା ସଭାପତି ଆଇନଜୀବୀ ବୀରେନ୍ଦ୍ର ବାଗ ୫-ଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଇଥିବାରୁ ଦୃଢ଼ ନିନ୍ଦା ପ୍ରକାଶ କରିବା ସହ ଦୋଷୀ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶ୍ରୀ ବାଗ ଦାବି କରିଛନ୍ତି ଗତ ୨୩ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ପ୍ରଦାନ କରାଯାଉ।

Leave A Reply

Your email address will not be published.