Odisha Link
Bridging the Missing Links in Odisha

ଆସନ୍ତାକାଲିଠୁ ବିମାନବନ୍ଦରରେ ହେବ ବିଦେଶ ଫେରନ୍ତାଙ୍କ କୋଭିଡ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ବିଶ୍ବର କିଛି ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ମହାମାରୀ । ଏହାକୁ ନଜରରେ ରଖି ସତର୍କ ହୋଇଛନ୍ତି ଭାରତ ସରକାର। ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ପୁଣିଥରେ କରୋନା କଟକଣା ଲାଗୁ କରାଯାଇଛି।

ଡିସେମ୍ବର ୨୪ ତାରିଖରୁ ଅର୍ଥାତ୍‌ ଶନିବାରଠୁ ଦେଶର ସମସ୍ତ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କ କୋଭିଡ ପରୀକ୍ଷା କରାଯିବ। ଗୋଟିଏ ବିମାନର ସମସ୍ତ ଯାତ୍ରୀଙ୍କ କୋଭିଡ ପରୀକ୍ଷା କରାନଗଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କର କୋଭିଡ ପରୀକ୍ଷା ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କୋଭିଡ ପରୀକ୍ଷା ନେଇ ଏକ ଚିଠି ଲେଖିଛନ୍ତି । ଶନିବାରଠୁ ପ୍ରତିଦିନ ବିମାନ ବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କ କୋଭିଡ ପରୀକ୍ଷା କରାଯିବ । ଯଦି କୌଣସି ଯାତ୍ରୀ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାଙ୍କ ନମୁନା ଜିନୋମ୍‌ ସିକ୍ବେନ୍ସିଂ ପାଇଁ INSACOG ଲାବ୍ରୋଟୋରୀ ନେଟଓ୍ବାର୍କକୁ ପଠାଯିବ।

ବିଶେଷକରି ଚୀନ, ଜାପାନ, ଆମେରିକା, ଦକ୍ଷିଣ କୋରିଆ, ବ୍ରାଜିଲ, ଫ୍ରାନ୍ସ ଭଳି ରାଷ୍ଟ୍ରରେ କରୋନା ମାମଲା ଦିନକଚ ଦିନ ବଢ଼ିବାରେ ଲାଗିଛି। ଚୀନରେ କୋଭିଡ୍‌ ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଛି। ଶ୍ମଶାନଗୁଡ଼ିକରେ ହଜାର ହଜାର ଶବ ସତ୍କାର ଅପେକ୍ଷାରେ ରହିଥିବା ବେଳେ ସବୁ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଘୋର ଚିନ୍ତାର କାରଣ ପାଲଟିଛି । ବେଜିଂ ଓ ସାଂଘାଇରେ କୋଭିଡ୍ ନିୟନ୍ତ୍ରଣ ପାଇଁ କଠୋର ଲକ୍‌ଡାଉନ୍‌ ଉଠିବାର କେଇମାସ ପରେ ମହାମାରୀ ସାଂଘାତିକ ସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.