Odisha Link
Bridging the Missing Links in Odisha

୨୦୨୪ ଜାନୁଆରୀ ପହିଲାରେ ଖୋଲିବ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର

ଓଏଲ୍‌ ବ୍ୟୁରୋ: ୨୦୨୪ରେ ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରି ସାରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ୨୦୨୪ର ଜାନୁଆରୀ ୧ରେ ଅଯୋଧ୍ୟରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ।

ଅମିତ ଶାହ ଆଜି କହିଛନ୍ତି, “କଂଗ୍ରେସ ରାମ ମନ୍ଦିର ନିର୍ମାଣ କାମକୁ କୋର୍ଟରେ ଲମ୍ବେଇ ଚାଲିଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣ କାମ ଆରମ୍ଭ କାରିଥିଲେ। ରାମ ମନ୍ଦିର କାମ ଜୋରସୋରରେ ଚାଲିଛି। ୨୦୨୪ ଜାନୁଆରୀ ୧ ସୁଦ୍ଧା ଏହା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବ। ନିର୍ମାଣ ସରିବା ପରେ ଜାନୁଆରୀ ୧ ତାରିଖ ୨୦୨୪ରେ ଏହାକୁ ଖୋଲା ଯିବ।”

ଗତବର୍ଷ ନଭେମ୍ବର ମାସରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିରର ନିର୍ମାଣ କାମ ୫୦% ଶେଷ ହୋଇ ସାରିଥିବା କହିଥିଲେ। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ଏହା ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହୋଇସାରିଥିବ ବୋଲି ସେ କହିଥିଲେ।

୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ଦିନରେ ରାମ ମନ୍ଦିର ଖୋଲିବା ନିଶ୍ଚିତ ଭାବେ ବିଜେପି ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏଥିସହ ଦଳ କ୍ରମାଗତ ତୃତୀୟ ଥର କେନ୍ଦ୍ରରେ କ୍ଷମତା ଦଖଲ କରିବାରେ ରାମ ମନ୍ଦିର ଖୋଲିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ରଖିଛନ୍ତି।

Leave A Reply

Your email address will not be published.