Odisha Link
Bridging the Missing Links in Odisha

କମୁଛି ତାପମାତ୍ରା, ବଢୁଛି ଶୀତ

କଟକରେ ୧୧ ଡିଗ୍ରୀ ଓ ଭୁବନେଶ୍ୱରରେ ୧୧.୫ ଡିଗ୍ରୀ ତାପମାତ୍ରା ଥିବାବେଳେ ଶୀତ ଅନୁଭୂତ

ଓଏଲ୍‌ ବ୍ୟୁରୋ : ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଗତକାଲିଠାରୁ ରାଜ୍ୟରେ ଶୀତ ବଢ଼ିଛି। ଆସନ୍ତା ୨ ଦିନ ମଧ୍ୟରେ ପାରଦ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବା ସହ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବ। ରାଜ୍ୟର କିଛି କିଛି ଅଞ୍ଚଳରେ କୁହୁଡ଼ି ମଧ୍ୟ ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୀତ ଲହରି ନେଇ ଆଜି ଓ କାଲି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ।

କାଲି ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝରକୁ, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳକୁ ୟେଲୋ ୱାର୍ଣ୍ଣିଂ। ରାତି ତାପମାତ୍ରା କମୁଥିବାରୁ ଶୀତର ପ୍ରକୋପ ବଢ଼ିଥିବାବେଳେ ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୬ ଡିଗ୍ରୀ ଥିବାର ସୂଚନା ମିଳିଛି। ସେଇ ଭଳି କଟକରେ ୧୧ ଡିଗ୍ରୀ ଓ ଭୁବନେଶ୍ୱରରେ ୧୧.୫ ଡିଗ୍ରୀ ତାପମାତ୍ରା ଥିବାବେଳେ ଶୀତ ଅନୁଭୂତ ହୋଇଛି। ତେବେ ଶୀତ ବଢିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଥିବାବେଳେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ କଥା କହିଛନ୍ତି। ତାଙ୍କ ଆକଳନ କହୁଛି, ଆସନ୍ତା ୮ତାରିଖରୁ ରାଜ୍ୟରେ ଶୀତ କମିବ ଏବଂ ସପ୍ତାହେ ପର୍ଯ୍ୟନ୍ତ ଶୀତ ବଢ଼ିବାର ସମ୍ଭାବନା ନାହିଁ।

ଭୁବନେଶ୍ବର ସମେତ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ୧ରୁ ୧୦ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ଡିଗ୍ରି ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରରେ ୮ରୁ କ୍ରମଶଃ ବୃଦ୍ଧି ହୋଇ ୧୨ତାରିଖ ସୁଦ୍ଧା ତାପମାତ୍ରା ୪ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ଉପକୂଳରେ ୯ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବ। ୧୩ ସୁଦ୍ଧା ପାରଦ ୩ରୁ ୪ଡିଗ୍ରି ବଢ଼ିପାରେ। କିନ୍ତୁ ଉତ୍ତର ଆଭ୍ୟନ୍ତରରେ ୯ ତାରିଖ ପରେ ତାପମାତ୍ରା ବଢ଼ିବାର ସମ୍ଭାବନା ନଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.