Odisha Link
Bridging the Missing Links in Odisha

ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେଲେ ରାଷ୍ଟ୍ରପତି

ସଭାସ୍ଥଳରେ ଜନସମାଗମ ଦେଖିବାକୁ ମିଳିଛି

ଓଏଲ୍‌ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଂଚିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ବିମାନବନ୍ଦରରେ ପହଁଞ୍ଚିବା ପରେ ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ତାଙ୍କ ସହ ସଭାରେ ଯୋଗ ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦେଓ।

ସଭାସ୍ଥଳରେ ଜନସମାଗମ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଜୟ ଜଗନ୍ନାଥ ନାରା ଦେଇ ଭାଷଣ ଆରମ୍ଭ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ବୃଦ୍ଧ ପିତାମାତାଙ୍କ ଯତ୍ନ ଆମେ ଠିକ ଭାବେ ନେଉଛୁ କି । ବାପାମାଙ୍କ ଫଟୋ ପୂଜା ନୁହେଁ, ତାଙ୍କ ଯତ୍ନ ନେବା ଉଚିତ। ପିତାମାତା, ବୃଦ୍ଧବୃଦ୍ଧାଙ୍କ ସେବା ହିଁ ମାନବ ଧର୍ମ। ଆଜି ସୁଖ ଅପହଞ୍ଚ ନୁହେଁ, କିନ୍ତୁ ମାନସିକ ଶାନ୍ତି ଅପହଞ୍ଚ। ଆତ୍ମା ଶୁଦ୍ଧି, ମାନସିକ ଶୁଦ୍ଧି ପାଇଁ ପ୍ରୟାସ ଜରୁରୀ। ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବୀର କରେ। ମାତୃକରୁଣା ପାଇ ଛତ୍ରପତି ଶିବାଜୀ, ଗାନ୍ଧିଜୀ ମହିୟାନ। ମାତାଙ୍କୁ ପ୍ରଥମେ ଦେବୀ ଭାବେ ମାନ୍ୟ କରିବା କଥା। ତେବେ ଏହି ଶାସ୍ତ୍ରାନୁମୋଦିତ ଉକ୍ତିକୁ ଆମେ ମାନିଛୁ କି ବୋଲି ମନ୍ତବ୍ୟ ଦେଇଛନ୍ତି ମହାମହିମ।

ସୂଚନା ଅନୁସାରେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବ୍ଲୁ ବୁକ୍ ଏସଓପି ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ ଫୋର୍ସ ମୁତୟନ ଥିବାବେଳେ ରାଷ୍ଟ୍ରପତିଙ୍କ କାରକେଡ୍‌ ଦାୟିତ୍ବରେ ଏସପି ରାଙ୍କ ଅଧିକାରୀ ରହିଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୫ ଜଣ ଏସିପି ରାଙ୍କ ଅଧିକାରୀ, ୪୭ ଇନ୍ସପେକ୍ଟର ମୁତୟନ ରହିଛନ୍ତି। ୧୮୮ ଏସଆଇ ଓ ଏଏସଆଇଙ୍କ ସହ ୫୦ ହୋମଗାର୍ଡ ସୁରକ୍ଷା ଦାଇତ୍ୱ ବହନ କରୁଛନ୍ତି ବୋଲି ସୂଚନା ମିଳିଛି।

ମହାମହିମ ରାଷ୍ଟ୍ରପତି ୧୧.୪୫ ମିନିଟ ପୂର୍ବରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ଉତ୍କଳ ମଣ୍ଡପରେ ପହଂଚିଛନ୍ତି ମହାମହିମ। ପରେ ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ। ଓଡ଼ିଶା ଆସିବା ସହ ନିଜେ ପଢ଼ୁଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ୪ଟା ୫ମିନିଟରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଆସନ୍ତାକାଲି ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରକୁ ଠାକୁର ଦର୍ଶନ କରିବା ପାଇଁ ଯିବା କାର୍ଯ୍ୟସୂଚୀ ମଧ୍ୟ ରହିଛି । ଏହି ଗସ୍ତ ସମୟରେ ରାଷ୍ଟ୍ରପତିଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି।

Leave A Reply

Your email address will not be published.