Odisha Link
Bridging the Missing Links in Odisha

ସମ୍ବଲପୁରର ୨୯ ଜଣ ଓକିଲଙ୍କୁ ମିଳିଲା ଜାମିନ୍

ସମ୍ବଲପୁରର ୨୯ଜଣ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ୍ ମଞ୍ଜୁର କରିଛନ୍ତି ହାଇକୋର୍ଟ

ଓଏଲ୍‌ ବ୍ୟୁରୋ : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘଦିନ ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ କାରଣରୁ କୋର୍ଟରେ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ କୋର୍ଟ ଆନ୍ଦୋଳନକାରୀ ଓକିଲ ସଂଘକୁ ଚେତାବନୀ ଦେଇଥିଲେ। କୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରି ଆନ୍ଦୋଳନକୁ ଗତ ୧୨ ତାରିଖରେ ତୀବ୍ର ରୂପ ଦେଇଥିଲେ ଆଇନୀଜୀବୀ। ଓକିଲଙ୍କ ସହ ସାଧାରଣ ଲୋକ ସାମିଲ ହେବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀ ଓକିଲଙ୍କ ମଧ୍ୟରୁ ୨୯ଜଣଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସମ୍ବଲପୁରର ୨୯ଜଣ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ୍ ମଞ୍ଜୁର କରିଛନ୍ତି ହାଇକୋର୍ଟ।

ସୂଚନା ଅନୁସାରେ, ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ ସମୟରେ ଅନେକ ଆଇନଜୀବୀ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗିରଫ ହୋଇଥିବା ଓକିଲମାନେ ଜାମିନ ଆବେଦନ କରିଥିଲେ। ପୂର୍ବରୁ ମଧ୍ୟ ଏହି ଗିରଫ ଆଇନଜୀବୀମାନେ ଏସଡିଜେଏମ୍ କୋର୍ଟରେ ଜାମିନ ଆବେଦନ କରିଥିବାବେଳେ କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ଆନ୍ଦୋଳନ କରିବାରୁ ଓକିଲମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆଇନୀଜୀବୀ ମାନେ ତୀବ୍ର ଆନ୍ଦୋଳନ ପରେ କୋର୍ଟର ଅନୁମତି କ୍ରମେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରିଥିଲା ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ। ସେମାନଙ୍କ ଲାଇସେନକୁ ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି ବୋଲି ପ୍ରେସ୍ ବିଜ୍ଞପ୍ତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିବାବେଳେ ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ଆନ୍ଦୋଳନକାରୀ ଆଇନଜୀବୀ ଆନ୍ଦୋଳନରୁ ଓହରି ନଥିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.