Odisha Link
Bridging the Missing Links in Odisha

‘ସେ ସମୟର ନବୀନ ବାବୁ ଆଉ ଏବେ ଯାହାଙ୍କୁ ଦେଖୁଛି ତାଙ୍କ ମଧ୍ୟରେ ବହୁତ ଫରକ’

ମୁଁ ଦେଖିଲି କଂଗ୍ରେସ ହିଁ ଗୋଟେ ସେଇଭଳି ବିକଳ୍ପ ହେଇପାରିବ

ଓଏଲ୍‌ ବ୍ୟୁରୋ : ଗତକାଲି କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ ପ୍ରଭାରୀ ଚେଲ୍ଲା କୁମାର ଓ ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ। ଦଳରେ ଯୋଗ କରିବା ପରେ ବିଜୟ ପଟ୍ଟନାୟକ କହିଛନ୍ତି, ମୁଁ ଯେଉଁ ନବୀନ ବାବୁଙ୍କ ପାଖରେ ଥିଲି, ବର୍ତ୍ତମାନ ଯାହାଙ୍କୁ ଦେଖୁଛି ତାଙ୍କ ଭିତରେ ବହୁତ ଫରକ। ସେ ସମୟର ନବୀନ ବାବୁ ଆଉ ଏବେ ମଧ୍ୟରେ ଆକାଶ ପାତାଳର ଫରକ, ସେ ଆଉ ସେଇ ନବୀନ ବାବୁ ହୋଇକି ନାହାନ୍ତି। ବର୍ତମାନ ଓଡ଼ିଶାର ରାଜନୀତି ଏଭଳି ଏକ ପରିସ୍ଥିତିରେ ପହଂଚିଛି, ଯେଉଁଠିକି ଗୋଟେ ଶକ୍ତିଶାଳୀ ବିକଳ୍ପର ଆବଶ୍ୟକତା ରହୁଛି। ମୁଁ ଦେଖିଲି କଂଗ୍ରେସ ହିଁ ଗୋଟେ ସେଇଭଳି ବିକଳ୍ପ ହେଇପାରିବ। ସେ ମଧ୍ୟ କହିଛନ୍ତି, ପରିବର୍ତନ ତ ଅବଶ୍ୟ ଆସିବ, କୌଣସି ଜିନିଷ ଚିରସ୍ଥାୟୀ ନୁହେଁ। ଚେଷ୍ଟାବଳ, ଇଚ୍ଛାଶକ୍ତି ଓ ମନୋବଳ ସୁଦୃଢ କଲେ ପରିବର୍ତନ ନିଶ୍ଚିତ ହେବ।

ଗତକାଲି କଂଗ୍ରେସରେ ଯୋଗ ଦେବା ପରେ ବିଜୟ ପଟ୍ଟନାୟକ କହିଥିଲେ, ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଛି। ନୀତି ଆଦର୍ଶକୁ ନେଇ ଆଗକୁ ବଢିବି। ଓଡ଼ିଶାରେ ଦୁର୍ନୀତି ଓ କୁଶାସନ ଚାଲିଛି। ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚୁନାହିଁ। ମୁଁ ଲୋକଙ୍କ ପାଇଁ କାମ କରିବି। କଂଗ୍ରେସର ଉଦାରବାଦୀ ନୀତି ପାଇଁ ହାତ ଧରିଛି। ରାହୁଲଙ୍କ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା, ପ୍ରେମ ଓ ଭଲପାଇବାର ଯାତ୍ରା ବୋଲି କହିଛନ୍ତି ବିଜୟ ପଟ୍ଟନାୟକ।

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସେ ମାନବାଧିକାର କମିଶନ ଭାବେ ନିଯୁକ୍ତ ହୋଇଥିଲେ। ମାନବାଧିକାର କମିଶନ ପଦରୁ ସେ ଇସ୍ତଫା ଦେଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ଯୋଗଦେଇଥିଲେ। ସେଠାରୁ ମଧ୍ୟ ପରବର୍ତ୍ତି ସମୟରେ ଇସ୍ତଫା ଦେଇଥିଲେ। ବିଜୟ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ।

ଖବର ଅନୁସାରେ, ବିଜୟ ପଟ୍ଟନାୟକ ପୂର୍ବରୁ କଂଗ୍ରେସରେ ଯୋଗଦେବେ ବୋଲି ପ୍ରସ୍ତୁତି ସରିଥିଲା। ସେତେବେଳେ ଶରତ ପଟ୍ଟନାୟକ ସଭାପତି ହୋଇ ନ ଥିଲେ। ହେଲେ ସେ ସଭାପତି ହେବା ପରେ ବିଜୟଙ୍କ ମିଶ୍ରଣ ସ୍ଥଗିତ ରହିଥିଲା। ତାଙ୍କୁ ଦଳରେ ସାମିଲ କରିବା ପାଇଁ ଦିଲ୍ଲୀ ସ୍ତରୀୟ ନେତାମାନେ ପ୍ରଚେଷ୍ଠା କରିଥିଲେ। ଦଳରେ ସାମିଲ କରିବା ପାଇଁ ଭୁବନେଶ୍ବରରେ ବିଜୟଙ୍କ ସହିତ ଏକାଧିକବାର ବୈଠକ ହୋଇସାରିଛି।

ପୂର୍ବରୁ ୨୦୨୨ରେ ଭୁବନେଶ୍ୱର ବିମାନବନ୍ଦରରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଜୟ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା। ଦୁଇ ଜଣଙ୍କୁ ଏକା ସଙ୍ଗେ ଦେଖିବା ପରେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ବିଜୟ ପଟ୍ଟନାୟକ କଂଗ୍ରେସରେ ମିଶିଥିବାବେଳେ ଓଡ଼ିଶାରେ କଂଗ୍ରେସର ଶକ୍ତିଶାଳୀ ସ୍ତିତି ସୃଷ୍ଟି ହେବ ବୋଲି ଦଳ ଆଶା କରିଛି।

Leave A Reply

Your email address will not be published.