Odisha Link
Bridging the Missing Links in Odisha

‘ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଦାବି ଉପରେ କିଛି କହିଲେ ନାହିଁ’

ନବ ଦାସ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଥିବାରୁ ଧନ୍ୟବାଦ, କିନ୍ତୁ ଦୁଃଖର ବିଷୟ ଏଥିରେ ନୂଆ ତଥ୍ୟ ସେ କିଛି ଦେଇନାହାନ୍ତି।

ଓଏଲ୍‌ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଏସବୁ ମଧ୍ୟରେ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ନବ ଦାସ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଥିବାରୁ ଧନ୍ୟବାଦ, କିନ୍ତୁ ଦୁଃଖର ବିଷୟ ଏଥିରେ ନୂଆ ତଥ୍ୟ ସେ କିଛି ଦେଇନାହାନ୍ତି। ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଦାବି ଉପରେ କିଛି କହିଲେ ନାହିଁ। ଏଏସଆଇ ହତ୍ୟା କରିଛି କି ନାହିଁ କେବଳ ତା’ ଉପରେ ତଦନ୍ତ ଚାଲିଛି ବୋଲି କହିଥିଲେ। ଏହା ପୂର୍ବରୁ ସମସ୍ତେ ଜାଣିଛନ୍ତି। ସେ ଅଧିକା କ’ଣ ତଥ୍ୟ ଦେଲେ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି।

ନବ ଦାସଙ୍କ ପରିବାର ଏହି ଘଟଣାକୁ ଏକ ଷଡଯନ୍ତ୍ର ବୋଲି କହିବା ସହିତ ମୁଁ ମଧ୍ୟ କହୁଛି ନବଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି। କାରଣ ଜଣେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୁଲିସ କିଭଳି ଭାବେ ନବଙ୍କ ପାଖକୁ ସହଜରେ ଆସିପାରିଲା? ଏହାକୁ ଆଇଆଇସି କେମିତି ଜାଣି ପାରିଲେ ନାହିଁ, ଯଦି ବି ଜାଣି ପାରିଲେ, କାହିଁକି ଅଟକାଇଲେ ନାହିଁ। କ୍ରାଇମବ୍ରାଞ୍ଚ ଏଦିଗରେ ଉଚିତ ତଦନ୍ତ କରୁନାହିଁ ବୋଲି ନରସିଂହ ମିଶ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ପ୍ରତିକ୍ରିୟା ଆଶା କରି ନଥିଲି। ତେଣୁ ଶୀଘ୍ର ନବ ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସ ସିଟ୍ ( ସ୍ପେସାଲ୍ ଇନଭେଷ୍ଟିଗେସନ୍ ଟିମ୍) ତଦନ୍ତ ଦାବି କରୁଛି। ବ୍ୟକ୍ତିଗତ ଶତ୍ରୁତା ପାଇଁ ହତ୍ୟା ହୋଇଥାଇ ପାରେ ବୋଲି ମୁଁ କହୁଛି। କାରଣ ନବବାବୁ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିକୁ ଗଲା ପରେ ବିଜେଡି ଭିତରେ ଅସନ୍ତୋଷ ଦେଖା ଦେଇଥିଲା ବୋଲି ନରସିଂହ ମିଶ୍ର କହିଛନ୍ତି।

ଖବର ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ କହିଥିଲେ, ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ତଦନ୍ତରେ ସହାୟତା ପାଇଁ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସହାୟତା ମାଗିଛି। ଏ ନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି। ଅଭିଯୁକ୍ତର ଆଚରଣର ତଦନ୍ତ ପାଇଁ ଏଫବିଆଇର ସହାୟତା ନିଆଯାଇଛି। ତଦନ୍ତର କୌଣସି ଦିଗକୁ ବି ଛଡା ଯାଉନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଥିସହିତ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତିକରଣ କରା ଯାଉଥିବାରୁ ଏହା ମୋତେ ଏବଂ ଓଡ଼ିଶାବାସୀଙ୍କୁ ବାଧିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ନବ ଦାସଙ୍କୁ ଜଣେ ପୁଲିସ କର୍ମୀ ହତ୍ୟା କରିଥିବା ଖବର ଶୁଣି ସମସ୍ତଙ୍କ ଭଳି ମୁଁ ମଧ୍ୟ ଚକିତ ହୋଇଥିଲି ବୋଲି କହିଥିଲେ ନବୀନ ପଟ୍ଟନାୟକ। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଏବେ ଜାରି ରହିଛି। ନବ ଦାସଙ୍କୁ କିଭଳି ନ୍ୟାୟ ମିଳିବ ସେଥିପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି। କିନ୍ତୁ ଭାରତୀୟ ଜନତା ପାର୍ଟି ଏହାକୁ ରାଜନୀତିର ରୂପ ଦେବା ସହ ପୁଲିସ ବିଭାଗକୁ ବଦନାମ କରୁଛି।

Leave A Reply

Your email address will not be published.