Odisha Link
Bridging the Missing Links in Odisha

ଖୋଖୋ ଖେଳାଳିଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକ

ଆତ୍ମହତ୍ୟା କରିଥିବା ଜାତୀୟ ଜୁନିଅର ମହିଳା ଖୋଖୋ ଖେଳାଳି ମନିକା ନାଏକ ନିଜ ଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ନିଜର ଖେଳ ପ୍ରତିଭା ଦେଖାଇ ବହୁ ପୁରସ୍କାରର ଅଧିକାରିଣୀ ହୋଇଥିବା ଜାତୀୟ କନିଷ୍ଠ ମହିଳା ଖୋଖୋ ଖେଳାଳି ମନିକାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଖୋଖୋ ଖେଳାଳି ମନିକାଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମନିକା ନାଏକଙ୍କ ମୃତ୍ୟୁରେ ବ୍ୟଥିତ ହୋଇ ସେ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି। ପ୍ରେମିକ ଜଣେ ନାବାଳକ ବୋଲି ଜଣାଯାଇଛି।

ଖବର ଅନୁସାରେ, ଆତ୍ମହତ୍ୟା କରିଥିବା ଜାତୀୟ ଜୁନିଅର ମହିଳା ଖୋଖୋ ଖେଳାଳି ମନିକା ନାଏକ ନିଜ ଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ। ପରିବାରର ଲୋକ ତାଙ୍କୁ ତୁରନ୍ତ ଝୁମ୍ପୁରା ଡାକ୍ତରଖାନା ଆଣିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ମନିକା କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନଥିବାବେଳେ ତାଙ୍କ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆତ୍ମହତ୍ୟା କରିଥିବା ଖୋଖୋ ଖେଳାଳି ଜଣକ ଯୁକ୍ତଦୁଇ ଶ୍ରେଣୀରେ ଉଖୁଣ୍ଡା କଲେଜରେ ପଢ଼ୁଥିବା ବେଳେ ଜାତୀୟ କନିଷ୍ଠ ମହିଳା ଖୋଖୋ ଦଳରେ ସାମିଲ୍‌ ହୋଇଥିଲେ। ନିକଟରେ ଖେଲୋ ଇଣ୍ଡିଆ ମହିଳା ଜାତୀୟ ଖୋଖୋ ଲିଗ୍ ପକ୍ଷରୁ ଝାଡ଼ଖଣ୍ତ ରାଜ୍ୟର ଆଲବର୍ଟ ‌ଏକ୍କା ଷ୍ଟାଡିୟମରେ ଅନୁଷ୍ଠିତ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶାକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏତେ ଭଲ କ୍ରୀଡ଼ାବିତ ଆତ୍ମହତ୍ୟା କରିବାର କାରଣ କଣ ହୋଇପାରେ ପ୍ରଶ୍ନବାଚୀ ସୃଷ୍ଟ ହେଉଥିବାବେଳେ ପରିବାର ପକ୍ଷରୁ ବାରିଆ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି କରିଛି।

Leave A Reply

Your email address will not be published.