Odisha Link
Bridging the Missing Links in Odisha

ଜ୍ୱାଇଁର ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ବେଳେ କାବୁ କଲା ପୁଲିସ

ବିବାହର କିଛି ଦିନ ପରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ଭିତରେ ପାରିବାରିକ କଳହ ଲାଗି ରହିଥିବା କୁହାଯାଉଛି।

ଓଏଲ୍‌ ବ୍ୟୁରୋ : ଶ୍ୱଶୁରଘର ଲୋକେ ଜ୍ୱାଇଁକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ। ପାରିବାରିକ କଳହ କାରଣରୁ ଜ୍ୱାଇଁଙ୍କୁ ଶ୍ୱଶୁରଘର ଲୋକେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ତେବେ ଜ୍ୱାଇଁଙ୍କୁ ହତ୍ୟା ପରେ ଶବକୁ ଅଖାବସ୍ତାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁରଘର ଲୋକେ। କୌଣସି ସୂତ୍ରରୁ ପୁଲିସ ଖବର ପାଇ ଅଖାବସ୍ତାରେ ଭର୍ତ୍ତି ଶବକୁ କାବୁ କରିଥିଲା। ମୃତ ବ୍ୟକ୍ତି ଜଣଙ୍କ ହେଲେ ରୁଦ୍ର ମେହେର। ରୁଦ୍ରଙ୍କ ଘର ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜଭାଟିପଡା ଗାଁରେ ବୋଲି ସୂଚନା ମିଳିଛି।

ଖବର ଅନୁସାରେ, ରୁଦ୍ର ଚାବ୍ରିପାଲି ଗାଁର ସରୋଜିନୀ ମେହେରଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ଭିତରେ ପାରିବାରିକ କଳହ ଲାଗି ରହିଥିବା କୁହାଯାଉଛି। ସ୍ୱାମୀଙ୍କ ସହ କଳହ ହେବା ପରେ ନିଜ ବାପ ଘରକୁ ଚାଲି ଆସିଥିଲେ ସରୋଜିନୀ। ଗତକାଲି ଶ୍ୱଶୁରଘରକୁ ରୁଦ୍ର ଆସିଥିଲେ ନିଜ ସ୍ତ୍ରୀ ସରୋଜିନୀଙ୍କୁ ନେବାକୁ। ହେଲେ ରାତିରେ କୌଣସି କାରଣକୁ ନେଇ ଶ୍ୱଶୁରଘର ଲୋକଙ୍କ ସହିତ ରୁଦ୍ରଙ୍କର ବଚସା ହୋଇଥିଲା। ହଠାତ୍ ରାଗିଯାଇ ଶ୍ୱଶୁରଘର ଲୋକେ ରୁଦ୍ରକୁ ପିଟି ପିଟି ମାରିଦେଇଥିଲେ।

ହତ୍ୟା ପରେ ଏକ ଅଖା ବସ୍ତାରେ ଜ୍ୱାଇଁର ମୃତଦେହକୁ ଭର୍ତ୍ତି କରି ଏକ ମାରୁତି ଭ୍ୟାନରେ ଲୋଡ଼ କରିପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଥିଲେ। ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ସୂଚନା ପାଇବା ପରେ ବାଟରେ ମାରୁତି ଭ୍ୟାନକୁ ଅଟକାଇଥିଲା ପୁଲିସ। ଗାଡ଼ି ଯାଞ୍ଚ ବେଳେ ରୁଦ୍ରଙ୍କ ମୃତଦେହ ପୁଲିସ ଭ୍ୟାନ ଭିତରୁ ପାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି କରିଛି।

Leave A Reply

Your email address will not be published.