Odisha Link
Bridging the Missing Links in Odisha

ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବ୍ ଯିବ ପାରାଦୀପରୁ ଉଦ୍ଧାର ପାରା

ସେଠାରେ ପାରା ଦେହରୁ ଜବତ ସ୍ପାଏ କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଚିପ ସାଇବର ଏକ୍ସପର୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ।

ଓଏଲ୍‌ ବ୍ୟୁରୋ : ଦୁଇଦିନ ପୂର୍ବରୁ ପାରାଦୀପରୁ ଉଦ୍ଧାର ହୋଇଥିଲା ପାରା। ପାରାଦୀପରୁ ଉଦ୍ଧାର ହୋଇଥିବା ଗୁପ୍ତଚର ପାରା ଭାବେ ସନ୍ଦେହ କରାଯାଉଥିବା ସନ୍ଦିଗ୍ଧ ପାରାକୁ ଗତକାଲି ଫୋରେନସିକ୍ ଲ୍ୟାବକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟ ଫୋରେନସିକ ଲ୍ୟାବ କୌଣସି ନିଷ୍କର୍ସରେ ପହଞ୍ଚିନପାରିବାରୁ ପାରାଦୀପ ସମୁଦ୍ରରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରାକୁ ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ ଲ୍ୟାବ୍‌ ଯିବ ବୋଲି ଜଣା ପଡିଛି। ତେବେ ପାରାକୁ କୋଲକାତା କିମ୍ବା ହାଇଦ୍ରାବାଦ ସ୍ଥିତ ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ ଲ୍ୟାବ୍‌କୁ ପଠାଯିବ।

ପାରା ଦେହରେ ଲେଖା ଓ ଡିଭାଇସ୍‌ ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ ଲ୍ୟାବ୍‌ରେ ଯାଞ୍ଚ କରାଯିବ। ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଏସ୍‌ପି ରାହୁଲ ପି.ଆର। ସେଠାରେ ପାରା ଦେହରୁ ଜବତ ସ୍ପାଏ କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଚିପ ସାଇବର ଏକ୍ସପର୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ। ଗତକାଲି କଟକର ସ୍ବତନ୍ତ୍ର ଟିମ୍ ପାରାକୁ ଭୁବନେଶ୍ବର ଫୋରେନସିକ୍ ଲ୍ୟାବ୍ ଆଣିଥିଲା।

ଦୁଇଦିନ ପୂର୍ବରୁ ପାରାଦୀପ ସମୁଦ୍ରରୁ ମାଛଧରାଳି ସନ୍ଦିଗ୍ଧ ପାରାକୁ ଧରିଥିଲେ। ଧରାପଡ଼ିଥିବା ସନ୍ଦିଗ୍ଧ ପାରାକୁ କଟକ ସ୍ଥାନାନ୍ତର କରାଯାଇଥିଲା। ଡଗ୍‌ ଆଣ୍ଡ ପ୍ରିଜନ୍‌ ସ୍କ୍ବାଡ୍‌କୁ ସ୍ଥାନାନ୍ତର କରିଥିଲା ମେରାଇନ ପୁଲିସ। ତେବେ ସମୁଦ୍ରରେ ବୁଲୁଥିବା ଗୁପ୍ତଚର ପାରାକୁ ନେଇ ମଝି ସମୁଦ୍ରରେ ତନାଘନା ହୋଇଥିଲା। ଏହା ଏକ ଗୁପ୍ତଚର ପାରା ବୋଲି ସନ୍ଦେହ କରାଯାଉଥିବାବେଳେ ପାରା ଦେହରେ କ୍ୟାମେରା ଚିପ ଓ ଡେଣାରେ ରହିଥିଲା ବିଦେଶୀ ଭାଷାର ଲେଖା।

କୋଣାର୍କ ନିକଟ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ପାରାଟି ବୋଟରେ ଆସି ବସିଥିଲା। ମତ୍ସ୍ୟଜୀବୀମାନେ ପାରାକୁ ଉଦ୍ଧାର କରିବା ସହିତ ତା ଗୋଡ଼ରୁ କ୍ୟାମେରା ଚିପ୍ ଓ ଡେଣାରେ ଲେଖାଥିବା ବିଦେଶୀ ଭାଷାକୁ ଦେଖି ସନ୍ଦେହ ପ୍ରକାଶ କରିଥିଲେ।