Odisha Link
Bridging the Missing Links in Odisha

କାଲି ଶ୍ରୀଲଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ନୀତିକାନ୍ତିରେ ପାଳନ ହେବ ଏହି ପର୍ବ

ବିଧି ଅନୁସାରେ ପ୍ରଥମେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିର ରଥ ପ୍ରତିଷ୍ଠା ପର୍ବ ଆରମ୍ଭ ହେବ।

ଓଏଲ୍‌ ବ୍ୟୁରୋ : ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା। ଏବର୍ଷ ଏପ୍ରିଲ୍‌ ୨୯ ତାରିଖ ଶନିବାର ପଡ଼ୁଛି ପବିତ୍ର ଅଶୋକାଷ୍ଟମୀ। ଏହି ତିଥିରେ ବିଧି ଅନୁଯାୟୀ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ତିଥି ଅନୁସାରେ ପ୍ରତିଷ୍ଠା ହେବ ରୁକୁଣା ରଥ।

ଆଜି ମଧ୍ୟ ରାତ୍ରିରୁ ଶ୍ରୀଲଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ। ବିଧି ଅନୁସାରେ ପ୍ରଥମେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିର ରଥ ପ୍ରତିଷ୍ଠା ପର୍ବ ଆରମ୍ଭ ହେବ। ରଥ ପାଇଁ ପାଣି ଯିବା ପରେ ମରୀଚିକୁଣ୍ଡରୁ ଉଠିଥିବା ଅନ୍ୟ କଳସ ଜଳ ନିଲାମ କରାଯିବ। ଏହି ପାଣି ସ୍ନାନ କଲେ ମହିଳାମାନଙ୍କୁ ସନ୍ତାପପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ରାତିରେ ନୀତିକାନ୍ତି ହେବାର ଥିବାରୁ ଅସ୍ଥାୟୀ ଘର ଏବଂ ଲାଇଟ୍ ବ୍ୟବସ୍ଥା କରାଯାଇଛି। ବିଧି ଅନୁସାରେ ଆଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ତିଥିରେ ରଥ ନିର୍ମାଣ ସରିବା ପରେ ପ୍ରତିଷ୍ଠା ହୋଇଥାଏ।

ପୌରାଣିକ କିମ୍ବଦନ୍ତୀ ଅନୁସାରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ। ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା। ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ। ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ’ଣ ବର ଚାହଁ ବୋଲି ପଚାରିଲେ। ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି। ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି।

ଖବର ଅନୁସାରେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାଇଁ ପୂର୍ବରୁ ସ୍ୱତନ୍ତ୍ର ସର୍କିଟ୍‍ ହାଉସ୍‍ଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି ବୈଠକରେ ସେବାୟତମାନେ ଯୋଗ ଦେଇଥିଲେ। ତେବେ ରଥଯାତ୍ରାରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତିରେ ସେମାନେ ସେମାନଙ୍କ ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାଇଥିଲେ।

Leave A Reply

Your email address will not be published.