Odisha Link
Bridging the Missing Links in Odisha

ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜନୀତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ବେଶି ମହାରାଷ୍ଟ୍ର ରାଜୀନତିର ହଟଚମଟକୁ ନେଇ ହେଉଛି ଚର୍ଚ୍ଚା। ଗତକିଛି ଦିନ ହେବ ଏନସିପିର ଗୋଟିଏ ଗୋଷ୍ଠୀ ଅଜିତ ପାୱାରଙ୍କ ନେତୃତ୍ୱରେ ଭାଜପା ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ଏହାକୁ ଅଜିତ ପାୱାର ବର୍ତ୍ତମାନ ଯାଏ ଖଣ୍ଡନ କରି ଆସିଛନ୍ତି। ତଥାପି ସେ ଭାଜପା ଆଡ଼କୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

ଏସବୁ ଭିତରେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କ ଶିବସେନା ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ଯଦି ଅଜିତ ପାୱାରଙ୍କ ଗୋଷ୍ଠୀ ଭାଜପା ସହ ସାମିଲ ହୁଏ, ତା’ହେଲେ ଶିବସେନା ସରକାରରୁ ଓହରିଯିବ ବୋଲି ସିନ୍ଦେ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।

ଆଜି ଶିବସେନା ବିଧାୟକ ତଥା ମୁଖପାତ୍ର ସଞ୍ଜୟ ଶିରସାତ କହିଛନ୍ତି, “ବିଧାନସଭାର ବିରୋଧୀ ଦଳ ନେତା ଅଜିତ ପାୱାର ଯଦି ଏନସିପି ଛାଡ଼ିବେ ଓ ଭାଜପା କିମ୍ବା ଶିବସେନାରେ ମିଶିବେ, ତା’ହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ। କିନ୍ତୁ ସେ ଯଦି ଏନସିପିର କିଛି ବିଧାୟକଙ୍କୁ ଆଣି ଭାଜପା ସହ ଲୀନ ହେବେ, ତା’ହେଲେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସରକାରରୁ ଓହରିଯିବ।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ହେବ ଏନିସିପି ନେତା ଅଜିତ ପାଓ୍ବାର ନିଜର କିଛି ସମର୍ଥିତ ବିଧାୟକଙ୍କୁ ନେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପାଇଁ କଥାବର୍ତ୍ତା ଜାରି ରହିଥିବା ଚର୍ଚ୍ଚା ହେଉଛି। ଏହି ପ୍ରସଙ୍ଗରେ ଗତକାଲି( ମଙ୍ଗଳବାର) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଭାଜପା ସହ କୌଣସି ଆଲୋଚନା ହୋଇନାହିଁ। ଯାହା ବି ସବୁ ପ୍ରଚାର ହେଉଛି ତାହା ତାଙ୍କ ବିରୋଧରେ ଗୁଜବ ବୋଲି କହିଥିଲେ।

ଗତକାଲି ଅଜିତ ପାଓ୍ବାର ସ୍ପଷ୍ଟୀକରଣ ରଖିଥିବା ବେଳେ ଆଜି ଏକନାଥ ସିନ୍ଦେ ଗୋଷ୍ଠୀ ପକ୍ଷରୁ ଦିଆଯାଇଥିବା ବୟାନକୁ ଆଧାର କଲେ ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ମହାଡ୍ରାମା ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି।

Leave A Reply

Your email address will not be published.