Odisha Link
Bridging the Missing Links in Odisha

ଦୁବାଇକୁ ପ୍ରଥମ ଉଡ଼ାଣ, ଅରୁଣ କହିଲେ – ମୁଁ ପ୍ରଥମ ଯାତ୍ରୀ

ଭୁବନେଶ୍ବର: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରୁ ଦୁବାଇ, ସଙ୍ଗାପୁର ଭଳି ସହର ଆଉ ବେସି ଦୂର ନୁହେଁ। ଆଜିଠାରୁ ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ଉଡ଼ିଲା ବିମାନ। ଭାରତୀୟ ସମୟ ସନ୍ଧ୍ୟା ୬ଟା୩୦ରେ ଉଡ଼ିଲା ବିମାନ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ ସହ ମୋଟ ୧୭୦ଜଣ ଯାତ୍ରୀ ଯାତ୍ରା କରିଛନ୍ତି।

ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ବପୂର୍ଣ୍ଣ । ଶିଳ୍ପର ବିକାଶ ହେଉ କି ନିବେଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ କିମ୍ବା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ଆନ୍ତର୍ଜାତିକ ସଂଯୋଗୀକରଣ ଆବଶ୍ୟକ।

ଏହାପୂର୍ବରୁ ଆଜି ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଥିଲା ବିମାନ। ବିନା ଷ୍ଟପେଜରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ୧୭୦ ଜଣ ଯାତ୍ରୀ। ସାଢେ ଚାରି ଘଣ୍ଟାର ଯାତ୍ରା ପରେ ସମସ୍ତେ ଭୁବନେଶ୍ବରରେ ପହଞ୍ଚିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ଫୁଲ, ଚନ୍ଦନ ଓ ମହାପ୍ରସାଦ ଦେଇ ସ୍ବଗତ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଫ୍ଲାଇଟରେ ଜଣେ ପୁରୁଷ ଓ ଜଣେ ମହିଳା ପାଇଲଟ୍ ରହିଥିଲେ।

ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ ସହ ମୋଟ ୧୭୦ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ଯାତ୍ରୀମାନଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକ, ମିଶନ ଶକ୍ତି ସଦସ୍ୟା, ଛାତ୍ରଛାତ୍ରୀ ଓ କ୍ରୀଡାବିତଙ୍କ ସମେତ କର୍ମଜୀବୀ ରହିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ ୩୨୦ ଏୟାରବସ ସପ୍ତାହରେ ତିନି ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ। ଦୁବାଇକୁ ଯିବାଆସିବା ଦର ରହିଛି ୨୦ ହଜାର ଟଙ୍କା।

ରାଜ୍ୟ ସରକାର ବହୁ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଦୁବାଇ ଯାତ୍ରା କରିଛନ୍ତି। ତେବେ ବିମାନର ପ୍ରଥମ ଯାତ୍ରୀ ହୋଇଛନ୍ତି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ। ଏନେଇ ସେ ଖୋଦ୍‌ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନଯାତ୍ରା- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଐତିହାସିକ ପଦକ୍ଷେପ। ପ୍ରଥମ ବିମାନ ଉଡ଼ାଣର ମୁଁ ପ୍ରଥମ ଯାତ୍ରୀ। ପ୍ରଥମ ଯାତ୍ରୀ ହେବା ପାଇଁ ଟିକେଟ କଲି ଏବଂ ଯାତ୍ରା କଲାବେଳେ- ମୁଁ ଗର୍ବ ଅନୁଭବ କରୁଛି ବୋଲି ଲେଖିଛନ୍ତି।

Leave A Reply

Your email address will not be published.