ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ହେଲେ ଅଜିତ ଅଗରକର
![](https://www.odishalink.com/wp-content/uploads/2023/07/IMG-20230704-WA0011-750x430.jpg)
ଓଏଲ୍ ବ୍ୟୁରୋ: ଟିମ୍ ଇଣ୍ଡିଆର ପୁର୍ବତନ ଷ୍ଟାର ବୋଲର ଅଜିତ ଅଗରକରଙ୍କୁ ଗୁରୁ ଦାୟିତ୍ବ। ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହେଲେ ଅଜିତ ଅଗରକର। ଏନେଇ ଆଜି ବିସିସିଆଇ ଘୋଷଣା କରିଛି। ନିକଟରେ ଅଜିତ ଅଗରକର ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ।
ପୂର୍ବରୁ ଅଗରକର ୨୦୨୧ରେ ବିସିସିଆଇ ଚୟନକର୍ତ୍ତା ପାଇଁ ସାକ୍ଷାତକାର ଦେଇଥିଲେ। ସେତେବେଳେ ଉତ୍ତରାଞ୍ଚଳରୁ ଚେତନ ଶର୍ମା ପ୍ୟାନେଲ୍ ମୁଖ୍ୟ ଥିଲେ। ସେହିପରି ଅଗରକରଙ୍କ ପୂର୍ବରୁ କନିଷ୍ଠ ଚୟନ ସମିତିରେ ୪ ବର୍ଷ କାର୍ଯ୍ୟ କରିସାରିଥିବାରୁ ତାଙ୍କ ପାଖରେ ଆଉ ବର୍ଷେ କାମ କରିବା ପାଇଁ ସମୟ ରହିଛି।
ଅଗରକରଙ୍କ ପାଖରେ ୧୯୧ ଦିନିକିଆ, ୨୬ ଟେଷ୍ଟ ଓ ୪ ଟ୍ବେଣ୍ଟି-୨୦ ମ୍ୟାଚ୍ର ଅଭିଜ୍ଞତା ଥିବାରୁ ତାଙ୍କ ପଲ୍ଲା ଭାରି ରହିଥିଲା। ୨୦୨୧ ସାକ୍ଷାତକାର ସମୟରେ ମୁମ୍ବାଇ କ୍ରିକେଟ ସଂଘ ସହିତ ଅଗରକରଙ୍କ ସଂପର୍କ ଭଲ ନଥିବାରୁ ବିସିସିଆଇ ସାକ୍ଷାତକାରରେ ତାଙ୍କୁ ଗୁରୁତ୍ବ ଦିଆଯାଇନଥିବା ଅନୁମାନ କରାଯାଉଛି। କିନ୍ତୁ ଏବେ ମୁମ୍ବାଇ ସଂଘ ସହିତ ଅଗରକରଙ୍କ କୌଣସି ସମସ୍ୟା ନାହିଁ। ଯାହାଫଳରେ ଆଜି ସେ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି।