Odisha Link
Bridging the Missing Links in Odisha

ସବୁବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି ବିଜେପି ନେତା: ବିଜେଡି

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଗତକାଲି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଘୋଷଣା କରିଥିଲେ। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପଟେ ପାଲଟା ଜବାବ ରଖିଛି ବିଜୁ ଜନତା ଦଳ।

ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଆମ ଗାଁ ଆମ ବିକାଶ ଯୋଜନାକୁ ସଂଶୋଧିତ କରି ଆମ ଓଡି଼ଶା ନବୀନ ଓଡି଼ଶା ଯୋଜନା କରାଯାଇଛି। ଆମ ଗାଁ ଆମ ବିକାଶ ଯୋଜନାରେ ଅଧିକାଂଶ କାମ ନହେବା ପରେ ଏହା ନୂଆ ନାଟକ। ଏଥିସହ ବିନା ଟେଣ୍ଡରେ କାର୍ଯ୍ୟାଦେଶ ଦେଇ ଦୁର୍ନୀତି କରିବା ପାଇଁ ଏ ଯୋଜନାର ଲକ୍ଷ୍ୟ ନୁହେଁ ତ? ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି।

ଏହାର ପାଲଟା ଜବାବ ରଖି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଗ୍ରାମାଞ୍ଚଳର ଓ ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଉଥିବା ବେଳେ ବିଜେପି କେବେ ବି ଓଡ଼ିଶା ପାଇଁ ଚିନ୍ତା କରିନାହିଁ । ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାରକୁ ସହି ନପାରିବା ହୀନ ମାନସିକତା । ଓଡ଼ିଶା ବିଜେପି ନେତା ସବୁ ବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ ସବୁବେଳେ ଓଡ଼ିଶାକୁ ନିନ୍ଦିତ କରିଛନ୍ତି। ସମୀର ମହାନ୍ତି ସ୍ମାର୍ଟଫୋନ ଭଲ ଭାବେ ଧରି ଶିଖିନାହାନ୍ତି। ଏଭଳି ସ୍ଥିତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ସମୀର ମହାନ୍ତି କହିବା ହାସ୍ୟାସ୍ପଦ। ସବୁବେଳେ ଅନ୍ୟର ପ୍ରରୋଚନାରେ ସମୀର ମହାନ୍ତି ବିଚିତ୍ର ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।

Leave A Reply

Your email address will not be published.