ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ରାଜଧାନୀରେ ସଙ୍ଗିନ ସ୍ଥିତି
ଓଏଲ୍ ବ୍ୟୁରୋ: ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ୍ ହସ୍ପିଟାଲ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଭିତର ଖଟରେ ଯେତିକି ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି, ବାରଣ୍ଡାରେ ମଧ୍ୟ ସେତିକି ଶୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ୨୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏ ବର୍ଷ ଅଗଷ୍ଟ ୧୬ ସୁଦ୍ଧା ୨,୧୧୧ ରୋଗୀ ଚିହ୍ନଟ ହେଲେଣି। ଗତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ୧ ହଜାର ୪୪୧ ଥିଲା। ବାଲେଶ୍ୱରରେ ୧୭୯, ପୁରୀରେ ୧୫୦, କଟକରେ ୧୨୫, ଜଗତସିଂହପୁରରେ ୧୦୧ ରୋଗୀ ଚିହ୍ନଟ କରାଯାଇଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।