ଆଜି କାହିଁକି ପାଳନ ହୁଏ ଗୁରୁଦିବସ? ଜାଣନ୍ତୁ କିଛି ତଥ୍ୟ
ଓଏଲ୍ ବ୍ୟୁରୋ: ଆଜି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଏ। ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏହା ଏକ ପବିତ୍ର ଦିନ। ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ କରାଯାଇଥାଏ। ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କର ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥାଏ।
ଉନବିଂଶ ଶତାବ୍ଦୀରେ ଅନେକ ଦେଶରେ ଶିକ୍ଷକ ଦିବସ ପାଳନ କରିବାର ଧାରଣା ଆରମ୍ଭ ହୋଇଥିଲା। ଅଧିକାଂଶ କ୍ଷେତ୍ରରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନକୁ ପାଳନ କରାଯାଇଥାଏ। ଏହି ପ୍ରାଥମିକ କାରଣରୁ ବିଭିନ୍ନ ଦେଶ ଏହି ଦିନକୁ ବିଭିନ୍ନ ତାରିଖରେ ପାଳନ କରିଥାନ୍ତି। ଉଦାହରଣ ସ୍ୱରୂପ, ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ (ସେପ୍ଟେମ୍ବର ୫) ଜନ୍ମଦିନ ୧୯୬୨ ପରଠାରୁ ଗୁରୁ ଦିବସ ଭାବେ ପାଳନ କରାଯାଏ।
ପାରମ୍ପରିକ ଭାବରେ ହିନ୍ଦୁମାନଙ୍କଦ୍ୱାରା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ। ଆର୍ଜେଣ୍ଟିନା ୧୯୧୫ ମସିହାରୁ ସେପ୍ଟେମ୍ବର ୧୧ରେ ଡୋମିଙ୍ଗୋ ଫାଉଷ୍ଟିନୋ ସାର୍ମିଏଣ୍ଟୋଙ୍କ ମୃତ୍ୟୁ ଦିବସକୁ ଶିକ୍ଷକ ଦିବସ ଭାବରେ ପାଳନ କରିଆସୁଛି। ୧୯୯୪ରେ ୟୁନେସ୍କୋଦ୍ୱାରା ସ୍ଥାପିତ ବିଶ୍ୱ ଶିକ୍ଷକ ଦିବସ ସହିତ ମିଳିତ ଭାବରେ ଅନେକ ଦେଶ ଅକ୍ଟୋବର ୫ ତାରିଖରେ ସେମାନଙ୍କର ଶିକ୍ଷକ ଦିବସ ପାଳନ କରନ୍ତି।
ମହାନ୍ ଦାର୍ଶନିକ, ଶିକ୍ଷାବିତ୍ ତଥା ଭୂତପୂର୍ବ ରାଷ୍ଟ୍ରପତି, ପ୍ରଫେସର୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମତିଥିକୁ ଗୁରୁଦିବସ ବୋଲି ପାଳନ କରାଯାଏ। ଶିକ୍ଷାଦାନ ବୃତ୍ତିରୁ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ହୋଇ ପରେ ‘ଭାରତ ରତ୍ନ’ ପାଇଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଭାରତୀୟ ଶିକ୍ଷା କ୍ଷେତ୍ରକୁ ସ୍ମରଣୀୟ ଅବଦାନ ରହିଛି। ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ହେବା ପରେ ଡକ୍ଟର୍ ରାଧାକ୍ରିଷ୍ଣନ୍ ୧୯୬୨ ମସିହା ମେ ୧୪ ତାରିଖରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ଏବଂ ସଂପୂର୍ଣ୍ଣ ୫ ବର୍ଷ ଯାଏ ଏହି ଦାୟିତ୍ୱରେ ରହିଥିଲେ।
ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ କିଏ ?
ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୧୮୮୮ ମସିହା ଆଜିର ତାରିଖ ଅର୍ଥାତ୍ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡ଼ୁର ( ତତ୍କାଳୀନ ମାଡ୍ରାସ୍ ପ୍ରେସିଡେନ୍ସି) ତିରୁତାନି ଗାଁର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ। ପିତାଙ୍କ ନାଁ ଥିଲା ସର୍ବପଲ୍ଲୀ ବୀରସ୍ୱାମୀ। ବୀରସ୍ୱାମୀ ଗରିବ ଥିଲେ ମଧ୍ୟ ପ୍ରଚଣ୍ଡ ଧୀ’ଶକ୍ତିର ଅଧିକାରୀ ଥିଲେ। ଆଉ ବାପାଙ୍କ ସୁଯୋଗ୍ୟ ଦାୟାଦ ଭାବରେ ପୁଅ ରାଧାକ୍ରିଷ୍ଣନ୍ ମଧ୍ୟ ଏହି ଇଶ୍ୱରପ୍ରଦତ୍ତ ପ୍ରତିଭାର ଅଧିକାରୀ ଥିଲେ। ତୁଳସୀ ଦୁଇ ପତ୍ରରୁ ବାସିବା ଭଳି କିଶୋର ଅବସ୍ଥାରୁ ହିଁ ରାଧାକ୍ରିଷ୍ଣନ୍ଙ୍କ ଅସାଧାରଣ ଜ୍ଞାନ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଆଦ୍ୟ ଜୀବନରେ ସେ ଶିକ୍ଷାଦାନକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିଲେ। ଦେଶର ବହୁ ନାମୀ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରି କୋଣ ଅନୁକୋଣରେ ବହୁ ପ୍ରତିଭାସମ୍ପନ୍ନ ଛାତ୍ରଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ଶିକ୍ଷାନୀତିକୁ ମଧ୍ୟ ଏହି ଦୂରଦ୍ରଷ୍ଟା ଶିକ୍ଷାବିତ୍ଙ୍କ ଦାନ ଅତୁଳନୀୟ। ରାଧାକ୍ରିଷ୍ଣନ୍ ମାତ୍ର ୧୬ ବର୍ଷ ବୟସରେ ଶିବାକମୁଙ୍କୁ ବିବାହ କରିଥିଲେ।
ତାଙ୍କ ଜନ୍ମଦିନରେ କାହିଁକି ପାଳନ ହୁଏ ଗୁରୁ ଦିବସ ?
୧୯୬୨ ମସିହାରେ ଦେଶର ରାଷ୍ଟ୍ରପତିଭାବେ ଦାୟିତ୍ୱ ନେବା ପରେ ଡକ୍ଟର ରାଧାକ୍ରିଷ୍ଣନ୍ଙ୍କ ଜନ୍ମ ଦିନକୁ ତାଙ୍କ ଛାତ୍ରଛାତ୍ରୀମାନେ ‘ରାଧାକ୍ରିଷ୍ଣନ୍ ଦିବସ’ ରୂପେ ପାଳନ କରିବାକୁ ଅନୁମତି ମାଗିଥିଲେ। କିନ୍ତୁ ରାଧାକ୍ରିଷ୍ଣନ୍ ଏଥିରେ ରାଜି ହୋଇ ନଥିଲେ। ବରଂ କହିଥିଲେ,ଏହି ଦିନକୁ ତାଙ୍କ ଜନ୍ମଦିନ ଭାବେ ପାଳନ ନକରି ଦେଶବ୍ୟାପୀ ‘ଗୁରୁ ଦିବସ’ ରୂପେ ପାଳନ କରାଯାଉ। ଆଉ ସେବେଠାରୁ ଅର୍ଥାତ୍ ୧୯୬୨ ମସିହା ସେପ୍ଟେମ୍ବର ୫ରୁ, ସେହି ମହାନ୍ ଗୁରୁ ତଥା ଦାର୍ଶନିକ ପ୍ରଫେସର୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ପୂଣ୍ୟ ଜନ୍ମ ଦିନକୁ ସାରା ଦେଶରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି।
ସମ୍ମାନ:
ଶିକ୍ଷା ଓ ରାଜନୀତିର ଉତ୍କୃଷ୍ଟ ଅବଦାନ ପାଇଁ ଡକ୍ଟର୍ ରାଧାକ୍ରିଷ୍ଣନ୍ଙ୍କୁ ୧୯୫୪ ମସିହାରେ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେବଳ ଭାରତ ସରକାର ନୁହନ୍ତି, ବ୍ରିଟେନ୍ ସରକାର ମଧ୍ୟ ୧୯୬୨ ମସିହାରେ ରାଧାକ୍ରିଷ୍ଣନ୍ଙ୍କୁ ‘‘ଅର୍ଡର୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କରିଥିଲେ।ମହାନ୍ ଦାର୍ଶନିକ, ଶିକ୍ଷାବିତ୍ ତଥା ଭୂତପୂର୍ବ ରାଷ୍ଟ୍ରପତି, ପ୍ରଫେସର୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମତିଥିକୁ ଗୁରୁଦିବସ ବୋଲି ପାଳନ କରାଯାଏ। ଶିକ୍ଷାଦାନ ବୃତ୍ତିରୁ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ହୋଇ ପରେ ‘ଭାରତ ରତ୍ନ’ ପାଇଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଭାରତୀୟ ଶିକ୍ଷା କ୍ଷେତ୍ରକୁ ସ୍ମରଣୀୟ ଅବଦାନ ରହିଛି। ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ହେବା ପରେ ଡକ୍ଟର୍ ରାଧାକ୍ରିଷ୍ଣନ୍ ୧୯୬୨ ମସିହା ମେ ୧୪ ତାରିଖରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ଏବଂ ସଂପୂର୍ଣ୍ଣ ୫ ବର୍ଷ ଯାଏ ଏହି ଦାୟିତ୍ୱରେ ରହିଥିଲେ।