ସୃଷ୍ଟି ହେଲା ସୁଦୃଶଃ ଲଘୁଚାପ କ୍ଷେତ୍ର, ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି

ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଜି ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଲଘୁଚାପ ପ୍ରଭାବରେ ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକର କିଛି କିଛି ଅଞ୍ଚଳରେ ତୀବ୍ର ବୃଷ୍ଟିପାତ(ଘଣ୍ଟା ପ୍ରତି ୨ ରୁ ୩ ସେମି)ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହା ସହ ରାଜ୍ୟର ୫ ଜିଲ୍ଲା ପ୍ରବଳ ବର୍ଷା ହେବା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।