Odisha Link
Bridging the Missing Links in Odisha

୩ ବର୍ଷରେ ୧୮୬ କୋଟି ତଣ୍ଡ ଗଣିଛନ୍ତି ଅମାନିଆ ଗାଡ଼ି ଚାଳକ

ଓଏଲ୍‌ ବ୍ୟୁରୋ: ବିଗତ ୩ ବର୍ଷ ମଧ୍ୟରେ ଅମାନିଆ ଗାଡ଼ି ଚାଳକ ଗଣିଛନ୍ତି କୋଟି କୋଟି ଟଙ୍କାର ତଣ୍ଡ। କଟକ-ଭୁବନେଶ୍ବରରେ ଅମାନିଆ ଗାଡ଼ି ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରି ପାଖାପାଖି ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଗଣିଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।

ଚୌଦାର-କଟକ ବିଧାୟକ ସୌଭିକ ବିଶ୍ବାଳ ଭୁବନେଶ୍ୱର-କଟକରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଗତ ୩ ବର୍ଷରେ କେତେ ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଗତ ୩ ବର୍ଷରେ ମୋଟ ୧୮ ଲକ୍ଷ ୫୨ ହଜାର ୩୯୪ ଜଣଙ୍କ ଠାରୁ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି। ବିନା ହେଲମେଟରେ ଗାଡି ଚଳାଉଥିବା ୮ ଲକ୍ଷ ୬୬ ହଜାର ୪୬୪ ଜଣଙ୍କ ଠାରୁ ୮୫ କୋଟି ୬ ଲକ୍ଷ ୭୨ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିନା ହେଲମେଟରେ ହିଁ ସର୍ବାଧିକ ଜରିମାନା ଆଦାୟ କରାଯାଇଛି।

ରଙ୍ଗ୍ ରୁଟରେ ଗାଡି ଚଲାଇ ୧୮ ହଜାର ୭୨୫ ଜଣ ଧରାପଡିଥିବାବେଳେ ସେମାନଙ୍କଠାରୁ ୮କୋଟି ୭୭ଲକ୍ଷ ୯ହଜାର ୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ମଦ୍ୟପାନ କରି ୫ହଜାର ୬୨୮ ଜଣ ଧରା ପଡିଛନ୍ତି। ସେମାନଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଗତ ତିନି ବର୍ଷରେ ଟ୍ବିନ ସିଟିରେ ମୋଟ ୧ କୋଟି ୮୫ ଲକ୍ଷ ୨୩୯୪ ଜଣ ଟ୍ରାଫିକ ଉଲଙ୍ଘନକାରୀ ଧରାପଡିଛନ୍ତି। ଟ୍ରାଫିକ ନିୟମ ଉଲ୍ଲଂଘନ ବାବଦରେ ୧୮୬ କୋଟିରୁ ଅଧିକ ଜରିମାନା ଆଦାୟ ହୋଇଛି। ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ।

Leave A Reply

Your email address will not be published.