Odisha Link
Bridging the Missing Links in Odisha

ଆଗକୁ ଦଶମ ବୋର୍ଡ ପରୀକ୍ଷା; ଶିକ୍ଷା ବିଭାଗ ଜାରି କଲା ମାଟ୍ରିକ ଟିପ୍ସ

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀରେ ହେବ ୨୦୨୩-୨୦୨୪ ଶିକ୍ଷାବର୍ଷ ମାଟ୍ରିକ୍‌ ପରୀକ୍ଷା। ୨୦୨୪ ଫେବ୍ରୁଆରୀ ୨୦ରେ ମାଟ୍ରିକ ପରୀକ୍ଷା ହେବ। ପରୀକ୍ଷା ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ପରୀକ୍ଷାକୁ ନଜରରେ ରଖି ଛାତ୍ରଛାତ୍ରୀଙ୍କୁ ଭଲ ପ୍ରଦର୍ଶନ କରିବା ନିମନ୍ତେ ଟିପ୍ସ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦୈନିକ କିପରି ପ୍ରସ୍ତୁତ ହେଲେ ପିଲାମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ପାରିବେ ସେଥିନିମନ୍ତେ ସ୍କୁଲ ଓ ଗଣଶିକ୍ଷା ବିଭାଗ ରୋଡମ୍ୟାପ ଜାରି କରିଛି। ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏଥିସହ ଆସନ୍ତା ୪ ତାରିଖରେ ସବୁ ହାଇସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନେ ଆଲୋଚନା କରିବେ। ଏହି ଟିପ୍ସ ଦ୍ୱାରା ପିଲାମାନେ ନିଜକୁ ଫିଟ୍‌ ରଖିବା ସହ ମନ ଦେଇ ପଢ଼ି ପାରିବେ ବୋଲି କୁହାଯାଇଛି। ଦଶମ ଶ୍ରେଣୀ ପରକ୍ଷାର୍ଥୀ କିଭଳି ପ୍ରସ୍ତୁତି ହେବେ ଏବଂ ପାଠ ପଢିବେ ସେ ନେଇ ଏକ ନିୟମାବଳୀ ଜାରି କରିଛି ଗଣଶିକ୍ଷା ବିଭାଗ।

ଗଣଶିକ୍ଷା ବିଭାଗର ଟିପ୍ସ ଅନୁସାରେ, ପରୀକ୍ଷାର୍ଥୀ ଦୈନିକ ୧୦ ଘଣ୍ଟାରୁ ୧୪ ଘଣ୍ଟା ପଢନ୍ତୁ। ୬ରୁ ୭ ଘଣ୍ଟା ଶୁଅନ୍ତୁ। ଆଉ ବାକି ସମୟରେ ଅନ୍ୟ କାର୍ଯ୍ୟକ୍ରମ କରନ୍ତୁ। ଶୋଇବା ସମୟ ହେଉଛି ରାତି ୧୦ଟାରୁ ସକାଳ ୪ଟା କିମ୍ବା ରାତି ୧୧ଟାରୁ ସକାଳ ୫ଟା ମଧ୍ୟରେ ହେବା ଆବଶ୍ୟକ ବୋଲି ସୂଚନା ରହିଛି। ସକାଳୁ ଉଠିବା ପରେ ନିତ୍ୟକର୍ମ ସାରି ବ୍ୟାୟାମ ଓ ଯୋଗ କରନ୍ତୁ। ଏହାଦ୍ୱାରା ଦିନସାରା ଫୂର୍ତ୍ତି ରହିବେ ତଥା ଏକାଗ୍ରତା ବଢାଇବାରେ ସାହାଯ୍ୟ କରିବ। ବାହାର ତେଲଯୁକ୍ତ ଖାଦ୍ୟ ଖାଇବାକୁ ମନା କରାଯାଇଛି। ସର୍ବଦା ସନ୍ତୁଳିତ ଓ ସୁଷମ ଖାଦ୍ୟ ଖାଇବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।

ପ୍ରତି ଅଧିବେଶନ ଆରମ୍ଭରେ ପୂର୍ବ ପାଠର ରିଭିଜନ କରନ୍ତୁ। ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ଉଷୁମ ଲେମ୍ବୁପାଣି ପିଅନ୍ତୁ। ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଇବାକୁ କୁହାଯାଇଛି। ବିଷୟର ଗୁରୁତ୍ବ ଦେଖି ପ୍ରତ୍ୟେକ ବିଷୟ ପାଇଁ ଦେଢ ଘଣ୍ଟାରୁ ୨ ଘଣ୍ଟା ସମୟ ରଖିବାକୁ ଟିପ୍ସରେ ଉଲ୍ଲେଖ କରାଯାଇଛି। ୨୦୨୪ ଫେବ୍ରୁଆରୀ ୨୦ରେ ମାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ ଏହା ପୂର୍ବରୁ ଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି ହୋଇଛି।

Leave A Reply

Your email address will not be published.