Odisha Link
Bridging the Missing Links in Odisha

ପେନ୍ ଇନ୍ ବୁକ୍ସ ପକ୍ଷରୁ “ଓଡ଼ିଶୀ ସଙ୍ଗୀତ ବାରିଧି” ଉନ୍ମୋଚିତ

ଓଏଲ୍‌ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ବହି ପର୍ବରେ ସାମିଲ ହେଲା “ଓଡ଼ିଶୀ ସଙ୍ଗୀତ ବାରିଧୀ”। ଆଜି ପେନ୍ ଇନ୍ ବୁକ୍ସ ପକ୍ଷରୁ “ଓଡ଼ିଶୀ ସଙ୍ଗୀତ ବାରିଧି” ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଦୀର୍ଘ ୬୫୦ ପୃଷ୍ଠର ଏହି ପୁସ୍ତକରେ ବିଂଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତ ଗୁରୁ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ରଙ୍କ ନିର୍ଦ୍ଦେଶିତ ଓ ସଂଗୃହୀତ ପାରମ୍ପରିକ ଉତ୍କଳୀୟ ରାଗ ଓ ଗୀତଗୁଡ଼ିକ ସଂକଳିତ ହୋଇଛି । ପୁସ୍ତକରେ ଅନେକ ଦୁର୍ଲ୍ଲଭ ରାଗ ରାଗିଣୀ ପ୍ରଥମ ଥର ପାଇଁ ଲୋକଲୋଚନକୁ ଅଣା ଯାଇଛି । ଯାହା ମୌଖିକ ପରମ୍ପରାରେ ରହି ରହି କାଳକ୍ରମେ ଲୁପ୍ତ ହୋଇ ଯାଇ ଥାଆନ୍ତା ତାହାକୁ ଲିପିବଦ୍ଧ କରି ରଖିଛନ୍ତି ଆଚାର୍ଯ୍ୟଙ୍କ ପଟ୍ଟଶିଷ୍ୟ ପଣ୍ଡିତ ରାମାରାଓ ପାତ୍ର ଓ ତାଙ୍କ ଶିଷ୍ୟ ପ୍ରତୀକ ପଟ୍ଟନାୟକ ।

ଉତ୍ସବରେ ବିଶିଷ୍ଟ ଓଡ଼ିଶୀ ସଙ୍ଗୀକଜ୍ଞ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, କବି ଓ ସଂଗୀତ ଗବେଷକ କବିତିଳକ ଆର୍ତ୍ତତ୍ରାଣ ଶତପଥୀ, ଓଡ଼ିଶୀ ସଂଗୀତ ତତ୍ତ୍ବବିତ ଡ. କୀର୍ତ୍ତନ ନାରାୟଣ ପାଢ଼ୀ, ସଂଗୀତ ଗୁରୁ ରାମହରି ଦାସ, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅଧ୍ୟକ୍ଷତା କରିଥିଲେ କଥାଶିଳ୍ପୀ ତଥା ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।

ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ପୁସ୍ତକଟି ଓଡ଼ିଶୀ ସଙ୍ଗୀତ ଜଗତର ଏକ କାଳଜୟୀ କୃତି ବୋଲି କହିଥିଲେ । ବରିଷ୍ଠ ସଙ୍ଗୀତ ଗବେଷକ ଡଃ କୀର୍ତ୍ତନ ନାରାୟଣ ପାଢ଼ୀ ଆଚାର୍ଯ୍ୟ ଶ୍ରୀ ପାତ୍ରଙ୍କ ଶାସ୍ତ୍ରବେତ୍ତା ଉପରେ ଆଲୋକପାତ କରି ଉଭୟ ଲେଖକଙ୍କୁ ସାଧୁବାଦ ଦେଇଥିଲେ। ପଣ୍ଡିତ ରାମହରି ଦାସ ପୁସ୍ତକଟି ଦ୍ଵାରା ଏକ ଲୁପ୍ତ ଯୁଗର ଅମୂଲ୍ୟ ସଙ୍ଗୀତ ଭଣ୍ଡାର ସଂରକ୍ଷିତ କରିଥିବାରୁ ଶ୍ରୀ ପାତ୍ରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

ବୀଣା ବିଦ୍ୱାନ୍ ପଣ୍ଡିତ ରାମାରାଓ ପାତ୍ର ନିଜ ଗୁରୁଙ୍କ ବିଷୟରେ ଓ ପୁସ୍ତକ ରଚନା ବିଷୟରେ ଆଲୋକପାତ କରିଥିବା ବେଳେ ତାଙ୍କ ଶିଷ୍ୟ ଗବେଷକ ଓ ଗାୟକ ପ୍ରତୀକ ପଟ୍ଟନାୟକ ବିଭିନ୍ନ ରାଗ ରାଗିଣୀ ଗାଇ ଗଞ୍ଜାମର ବିଶିଷ୍ଟ ଓଡ଼ିଶୀ ଗାୟନ ସମ୍ପ୍ରଦାୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ ଗୁରୁ ହିମାଂଶୁ ଶେଖର ସ୍ୱାଇଁ ଓ ଗୁରୁ ଗୀତା ମଞ୍ଜରୀ ବେହେରା ।

Leave A Reply

Your email address will not be published.