Odisha Link
Bridging the Missing Links in Odisha

ସରିଲା ଇଣ୍ଡିଆ ମେଣ୍ଟର ବୈଠକ; ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ନୁହେଁ ଏହି ନେତାଙ୍କ ନାମ ରଖିଲେ ୨ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ୨୦୨୪ କେନ୍ଦ୍ରର ଶାସନାଧିନ ଏନଡିଏ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଦିଲ୍ଲୀରେ ଶେଷ ଇଣ୍ଡିଆ ମେଣ୍ଟର ବୈଠକ।ବୈଠକରେ ଆଗାମୀ ଲୋକସଭା ନିର୍ବାଚନରେ ସିଟ୍ ବଣ୍ଟନ, ମିଳିତ ଜନସଭା ଓ ନୂଆ କରି ରଣନୀତି କରାଯିବା ଉପରେ ଆଲୋଚନା ହୋଇଛି। ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ମଧ୍ୟ ମାନସମନ୍ଥନ ହୋଇଥିଲା। ହେଲେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ପ୍ରସ୍ତାବ ଦେଇଛନ୍ତି ମମତା ବାନାର୍ଜୀ।

ଦିନକ ତଳେ ମମତା କହିଥିଲେ ଯେ ବିରୋଧୀ ମେଣ୍ଟ ଇଣ୍ଡିଆ ଲୋକସଭା ନିର୍ବାଚନ ଶେଷ ନ ହେବା ଯାଏ କାହାକୁ ବି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ ନାହିଁ। କିନ୍ତୁ ଆଜି ଇଣ୍ଡିଆ ମେଣ୍ଟର ବୈଠକ ବେଳେ ସେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ପ୍ରସ୍ତାବ ଦେଇଛନ୍ତି। ଆଉ ମମତାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଯାହା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ, ଚାଲନ୍ତୁ ସମସ୍ତେ ମିଳିମିଶି ଦେଶକୁ ପ୍ରଥମ ଦିଳିତ ପ୍ରଧାନମନ୍ତ୍ରୀ ଯୋଗାଇ ଦେବାରେ ଏହା ଭଲ ସୁଯୋଗ। ଅନ୍ୟପଟେ ସବୁ ଦଳ ଓ ଦୁଇ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଭାବେ ଖଡଗେଙ୍କ ନାଁ ପ୍ରସ୍ତାବ ଦେଇଥିଲେ ହେଁ ସେ ଏହାକୁ ବେଶ ବିନମ୍ର ଭାବେ ଅଗ୍ରାହ୍ୟ କରିଦେଇଥିଲେ। ଖଡଗେ କହିଛନ୍ତି, ଆମକୁ ପ୍ରଥମେ ଜିତିବାକୁ ପଡ଼ିବ। ଜିତିବା ପାଇଁ କ’ଣ କରିବା, ସେକଥା ଭାବନ୍ତୁ। ସାଂସଦମାନେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଉପରେ ଆଲୋଚନା କରିବାରେ ଲାଭ କ’ଣ। ଆମେ କେମିତି ମିଳିତ ଭାବେ ମ୍ୟାଜିକ ନମ୍ବର ହାସଲ କରିବା, ସେ ଦିଗରରେ ସମସ୍ତେ ଚିନ୍ତା କରିବା ଉଚିତ।

ସୂଚନାଥାଉକି, ଆଜି ଦିଲ୍ଲୀରେ ହୋଇଥିବା ଇଣ୍ଡିଆ ମେଣ୍ଟର ବୈଠକରେ ୨୮ଟି ଦଳ ଯୋଗ ଦେଇଥିଲେ। ଆଗକୁ ଏଭଳି ବୈଠକ ଦେଶର ଭିନ୍ନ ଭିନ୍ନ ସହରରେ ହେବ ବୋଲି ଖଡଗେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.