Odisha Link
Bridging the Missing Links in Odisha

ନୀଳଗିରିରେ ହୋଇପାରେ ତ୍ରିମୁଖୀ ଲଢ଼େଇ; କିଏ ସମ୍ଭାଳିବ ବିଜେଡିର ମଙ୍ଗ?

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।

ଚଳିତ ନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏଥର ନୀଳଗିରି ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଂଝା ଜାରି ରହିଛି। କାହାକୁ ଟିକେଟ ମିଳିବ ତାକୁ ନେଇ ଦୁଇ ଆଶାୟୀଙ୍କ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଫଳରେ ନୀଳଗିରି ରାଜନୀତି ରୋଚକ ମୋଡ଼ ନେଉଛି। ବିଜେଡି ଟିକେଟ ପାଇଁ ଦୁୁଇ ନେତାଙ୍କ ମଧ୍ୟରେ ଲାଗି ରହିଛି କସରତ। କିଏ ସମ୍ଭାଳିବ ନୀଳଗିରି ବିଜେଡିର ମଙ୍ଗ, ତାକୁ ନେଇ କର୍ମୀ ମଧ୍ୟ ତତ୍ପର ହୋଇପଡ଼ିଛନ୍ତି।

ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିରେ ମିଶିବା ପରେ ପୂର୍ବରୁ ସେଠାରେ ସଂଗଠନ ମଜବୁତ କରିଥିବା ସନ୍ତୋଷ ଖଟୁଆଙ୍କ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୁକାନ୍ତ ବିଜେଡିରେ ମିଶିବା ଦିନ ହିଁ, ରାଲି କରି ନିଜ ଶକ୍ତି ପ୍ରଦର୍ଶନ କରିଥିଲେ।

ରବିବାର ସନ୍ତୋଷ ଖଟୁଆ ନିଜ କର୍ମୀଙ୍କ ସହ ଦୁର୍ଗାମଣ୍ଡପ ଛକ ଠାରୁ ଏକ ପଦଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ଯଦି ତାଙ୍କୁ ଟିକେଟ ନମିଳେ ତେବେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ହେଲେ ସୁକାନ୍ତଙ୍କ ନିର୍ଦ୍ଦେଶରେ କାମ କରିବେ ନାହିଁ ବୋଲି ସନ୍ତୋଷ କହିଥିବାବେଳେ ଆଜି ନବୀନ ନିବାସରେ ତାଙ୍କୁ ଦେଖିବାକୁ ମିଳିବା ପରେ ଚର୍ଚା ବଢ଼ିବାରେ ଲାଗିଛି।

ଅନ୍ୟପଟେ, ନୀଳଗିରି ଆସନରୁ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ସେଠାରେ ରାଜନୈତିକ ସମୀକରଣର ପରିବର୍ତନ ହୋଇଥିବାବେଳେ ତ୍ରିମୁଖୀ ଲଢ଼େଇର ଆଶଙ୍କା କରାଯାଉଛି।

Leave A Reply

Your email address will not be published.