ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂଆ ପରୀକ୍ଷା କେନ୍ଦ୍ରର ଶିଳାନ୍ୟାସ

ଭୁବନେଶ୍ୱର: ଏକା ଥରକେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୩୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ଏ ନେଇ ନୂଆ ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯାଉଛି। ପ୍ରାୟ ୨୬ ହଜାର ବର୍ଗଫୁଟରେ ପରୀକ୍ଷା କେନ୍ଦ୍ରକୁ ନିର୍ମାଣ କରାଯିବ।
ଏହି ପରୀକ୍ଷା କେନ୍ଦ୍ର ପାଇଁ ମୋଟ୍ ୪ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସୋମବାର ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ପରୀକ୍ଷା କେନ୍ଦ୍ରର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଥିଲେ। ଆହୁରି ମଧ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ ଅଭୟ କୁମାର ନାୟକ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
କୁଳସଚିବ କହିଛନ୍ତି ଯେ, ଯେଉଁ ସମୟରେ ପରୀକ୍ଷା ନଥିବ ସେହି ସମୟରେ ଏହି କେନ୍ଦ୍ରକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ହାଉସିଂ କର୍ପୋରେସନ୍ ଜଏଣ୍ଟ ମ୍ୟାନେଜର ଅବେଶ କୁମାର ମହାନ୍ତି, ଡେପୁଟି ମ୍ୟାନେଜର ସୁନୀଲ କୁମାର ରାୟ ଓ ଆସିଷ୍ଟାଣ୍ଟ ମ୍ୟାନେଜର ଆଶିଷ ରାୟ ଆଦି ଉପସ୍ଥିତ ଥିଲେ।