Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପୁରୀରେ ହେବ କୁଲତା ସମାଜ ପାଇଁ ଧର୍ମଶାଳା

ପ୍ରତିନିଧି ଦଳର ଅନୁରୋଧକ୍ରମେ ୧ ବର୍ଷ ମଧ୍ୟରେ ଏହି ଧର୍ମଶାଳା ଯେପରି ସଂପୂର୍ଣ୍ଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବାବେଳେ ସରକାର ଆର୍ଥିକ ସହାୟତା ଯୋଗାଇଦେବେ

ଓଏଲ୍ ବ୍ୟୁରୋ: ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ଭେଟି ସେମାନଙ୍କ ବିଭିନ୍ନ ଦାବୀ ବିଷୟରେ ଆଲୋଚନା କରିଥିଲେ। ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଲୋଚନା ସମୟରେ ସେମାନେ ପୁରୀଧାମରେ ଏକ ଧର୍ମଶାଳା ନିର୍ମାଣ ନିମନ୍ତେ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି ପ୍ରତିନିଧି ଦଳରେ ବୌଦ୍ଧ,ସୋନପୁର,ସମ୍ବଲପୁର ଓ ବ୍ରଜରାଜନଗର ଅଞ୍ଚଳର କୁଲତା ସମାଜର ବନ୍ଧୁ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ପ୍ରତିନିଧି ଦଳର ଅନୁରୋଧକ୍ରମେ ୧ ବର୍ଷ ମଧ୍ୟରେ ଏହି ଧର୍ମଶାଳା ଯେପରି ସଂପୂର୍ଣ୍ଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବାବେଳେ ସରକାର ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ବିଶେଷ ତଥ୍ୟରୁ ଜଣାପଡିଛି। କୁଲତା ସମାଜ ବହୁଳ ଗ୍ରାମ ଗୁଡିକରେ ଜଗନ୍ନାଥ ମନ୍ଦିର ସ୍ଥାପନ, ପରିଚାଳନା, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହି ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ପୁରୀ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ମଧ୍ୟ କୁଲତା ସମାଜର ଏକ ପ୍ରସିଦ୍ଧ ଧର୍ମପୀଠ ହୋଇଥିବାବେଳେ କୁଲତା ସମାଜର ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ପୁରୀଧାମକୁ ଯାଇଥାନ୍ତି।

ପୁରୀରେ କୁଲତା ସମାଜକୁ ଧର୍ମଶାଳା ନିମନ୍ତେ ୧ଏକର ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ସେମାନେ ଅନୁରୋଧ କରିଥିଲେ। କୁଲତା ସମାଜର ଭକ୍ତମାନେ ଏହାଦ୍ୱାରା ସୁବିଧାରେ ପୁରୀ ଧାମରେ ରହିବା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମଧ୍ୟ ସୁରୁଖୁରୁରେ ଆୟୋଜନ କରିପାରିବେ। ପ୍ରତିନିଧି ଦଳର ଅନୁରୋଧକୁ ମୁଖ୍ୟମନ୍ତ୍ରୀ ମାନିବାସହିତ ସରକାରଙ୍କ ତରଫରୁ ଧର୍ମଶାଳା ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପାଇଁ କୁଲତା ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛି।

Leave A Reply

Your email address will not be published.