ଦେଶରେ ଉପରମୁହାଁ ହେଲା କରୋନା ସଂକ୍ରମଣ, ରାଜ୍ୟରେ ୪୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଏପ୍ରିଲ ୧୦ ଓ ୧୧ ତାରିଖରେ ସାରା ଦେଶରେ କୋଭିଡକୁ ନେଇ ମକ୍ ଡ୍ରିଲ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଓଏଲ୍ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ଶହେ ଦୈନିକ ସଂକ୍ରମଣ ଟପିଥିବାବେଳେ ଆଜି ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି। କାଲି ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୬୦୦୦ରୁ ଅଧିକ ଥିବାବେଳେ ଆଜି ମଧ୍ୟ ୬ହଜାରରୁ ଅଧିକ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା।
ଗତକାଲି ମହାମାରୀକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ବୈଠକ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିଛନ୍ତି କି, କରୋନାରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ଓ ଅନାବଶ୍ୟକ ଭୟରୁ ମଧ୍ୟ ଦୂରେଇ ରହିବାକୁ ପଡିବ। ଏହାସହ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଉପଦେଶ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, ନିଜ ନିଜ ରାଜ୍ୟରେ କୋଭିଡର ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମୀ ଉପରେ ସମୀକ୍ଷା ବୈଠକ କରନ୍ତୁ। ଏହାସହ ଏପ୍ରିଲ ୧୦ ଓ ୧୧ ତାରିଖରେ ସାରା ଦେଶରେ କୋଭିଡକୁ ନେଇ ମକ୍ ଡ୍ରିଲ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହାସହ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟର ହସ୍ପିଟାଲ ସ୍ଥିତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଯୋଗାଡ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।