Odisha Link
Bridging the Missing Links in Odisha

ମଦକୁ ପୁରସ୍କାର, ଶିକ୍ଷାକୁ ତଡ଼ିପାର

ପ୍ରଥମରୁ କହିରଖେ- ଶିକ୍ଷା ଏକ ଅଧିକାର, ମଦ ଏକ ସଉକ ମାତ୍ର। ପ୍ରତି ଶିଶୁକୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ରାଷ୍ଟ୍ରର ଦାୟିତ୍ବ। କିନ୍ତୁ ମଦରେ ସଉକ ରଖୁଥିବା ବା ମଦକୁ ଜୀବନଧନ କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପଲବ୍ଧ କରାଇବା ଲାଗି ବ୍ୟବସ୍ଥା ବାଧ୍ୟନୁହେଁ। ରାଜ୍ୟ ରାଜସ୍ବ ଆୟର ସିଂହଭାଗ ଅବକାରୀ ଦ୍ରବ୍ୟ ବିକ୍ରିରୁ ଆସୁଥିବା ବେଳେ ଏ ଆୟକୁ ବର୍ଷକୁ ବର୍ଷ ବଢ଼ାଇବା ଲାଗି ସରକାର ନାନାଦି ଫନ୍ଦିଫିକର କରୁଛନ୍ତି। କିନ୍ତୁ ସରକାର ଏ କଥା ଭୁଲି ନ ଯିବା ଉଚିତ ଯେ ବିକାଶ ପାଇଁ ବିତ୍ତର ଆବଶ୍ୟକତା ଯେତିକି ତାହା ଠାରୁ ଅଧିକ ଜରୁରୀ ଶିକ୍ଷିତ ନାଗରିକ ସମାଜ।

ଗତକାଲି ବିଧାନସଭାରେ ଅବକାରୀ ବିଭାଗ ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ବେଶ୍‌ ଲୋଭନୀୟ ବ୍ୟବସ୍ଥାର ସୁପାରିଶ୍‌ କରିଛନ୍ତି। ଲକ୍ଷ୍ୟ ଠାରୁ ଅଧିକ ମଦ ବିକ୍ରି କରୁଥିବା ବିକ୍ରେତାମାନଙ୍କୁ ପୁରସ୍କୃତ କରିବା ସହ ଅଧିକ ମଦ ଦୋକାନ ଖୋଲିବା ଲାଗି ଅନୁମତି ଦେବାକୁ ପରାମର୍ଶ ଦେଇଛନ୍ତି।

ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଓଡ଼ିଶାରେ ମଦ ବିକ୍ରି ଆଖିଦୃଶିଆ ଭାବେ ବୃଦ୍ଧି ପାଇବା ସହ ଏଥିରୁ ସରକାରଙ୍କ ରାଜସ୍ବ ଆୟ ୩୦ ଗୁଣା ବୃଦ୍ଧି ପାଇଛି। ନବୀନ ପଟ୍ଟନାୟକ ପ୍ରଥମେ କ୍ଷମତା ଦଖଲା କରିବା ସମୟରେ ରାଜ୍ୟର ଅବକାରୀ ରାଜସ୍ବ ଆୟ ଥିଲା ୧୩୦ କୋଟି ଟଙ୍କା (୧୯୯୯-୨୦୦୦)। ବର୍ତ୍ତମାନ (୨୦୧୮-୧୯) ଏହା ୩୯୨୫ କୋଟି ଟଙ୍କାରେ ପହଞ୍ଚିଛି। ଏଭଳି ଉତ୍ସାହଜନକ ସଫଳତା ପରେ ବି ସରକାର ଏ ସହଜ ରାଜସ୍ବ ଆୟର ଲୋଭ ସମ୍ବରଣ କରି ପାରୁନାହାନ୍ତି। ଏ ଆୟକୁ ବହୁଗୁଣିତ କରିବାକୁ ନାନାଦି ମାନସମନ୍ଥନ ଚାଲିଛି, ଯାହାର ସଦ୍ୟତମ ଉଦାହରଣ ଜୁଲାଇ ୧୨ ତାରିଖରେ ଷ୍ଟାଣ୍ଡିଂ କମିଟିର ସୁପାରିଶ। ଚଳିତ ବର୍ଷ (୨୦୧୯-୨୦) ପାଇଁ ଅବକାରୀ ବିଭାଗକୁ ୪୬୦୦ କୋଟି ଟଙ୍କାର ଲକ୍ଷ୍ୟ ପୂରଣ ପାଇଁ କଣ୍ଟ ଦିଆଯାଇଛି।

ରାଜ୍ୟସାରା ମଦର ବନ୍ୟା କରାଇ ସରକାରଙ୍କ ଆୟବୃଦ୍ଧିର ଏ ସରଳ ଉପାୟର ସୂତ୍ରଧର ଚଳିତ ବିଧାନସଭାର ଅବକାରୀ ଷ୍ଟାଣ୍ଡିଂ କମିଟିରେ ଅଛନ୍ତି ବିଜେଡି ବିଧାୟକ ସୁବ୍ରତ ତରାଇ, ଚନ୍ଦ୍ରସାରଥୀ ବେହରା, ସ୍ନେହାଙ୍ଗିନୀ ଛୁରିଆ, ରଘୁରାମ ପଡ଼ାଲ, ପର୍ଶୁରାମ ଧଡ଼ା, ମୌଷଧି ବାଗ, ସମ୍ବିତ ରାଉତରାୟ, ପ୍ରଭୂ ଜାନି, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର, ଗଣେଶ ରାମ ସିଂହ ଖୁଣ୍ଟିଆ, ଜଗନ୍ନାଥ ନାୟକ।

ଏଇଠି ଗୋଟିଏ କଥା ମନକୁ ଆସେ ଯେ ମଦକୁ ରାଜ୍ୟ ସରକାର ଯେଉଁ ଆଦର ଯତ୍ନ ଦେଉଛନ୍ତି ତାହାର କାଣିଚାଏ ବି ଶିକ୍ଷା ପ୍ରତି ନାହିଁ। ଚଳିତ ବର୍ଷ ୮୨ଟି ଉଚ୍ଚ ବିଦ୍ୟାଳୟରେ ଫଳାଫଳ ଶୂନ ହୋଇଛି। ଅନୁରୂପ ଭାବେ ଛାତ୍ରଙ୍କ ଉପସ୍ଥାନ ଅଭାବରୁ ୯୬୬ଟି ବିଦ୍ୟାଳୟକୁୂ ଚଳିତ ଶିକ୍ଷା ବର୍ଷରୁ ବନ୍ଦ କରିବାକୁ ସରକାର ନିଷ୍ପିତ୍ତି ନେଇଛନ୍ତି। ୨୦୧୫ ମସିହାରେ ୧୯୬ଟି ବିଦ୍ୟାଳୟକୁ ୫ରୁ କମ ଛାତ୍ର ଥିବା ଦର୍ଶାଇ ବନ୍ଦ କରିଥିଲେ ରାଜ୍ୟ ସରକାର।

ଘରୋଇ ବିଦ୍ୟାଳୟରେ ଛାତ୍ର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାରୀ ବିଦ୍ୟାଳୟରେ ବର୍ଷକୁ ବର୍ଷ ଛାତ୍ରଙ୍କ ସଂଖ୍ୟା କମିବାରେ ଲାଗିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୂଚନା ଅନୁସାରେ ୨୦୦୯-୧୦ ବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଭିତରେ ୬୬ ଲକ୍ଷ ୨୧ ହଜାର ୭୪୧ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୬୬ ଲକ୍ଷ ୭୨ ହଜାର ୫୮୦ ଜଣ ସରକାରୀ ବିଦ୍ୟାଳୟରେ ଓ ୫ ଲକ୍ଷ ୪୯ ହଜାର ୧୬୧ ଜଣ ଘରୋଇ ବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ। ୭ ବର୍ଷ ପରେ ୨୦୧୬-୧୭ ବେଳକୁ ନାମଲେଖାଇଥିବା ଛାତ୍ରଛାତ୍ରୀ ସଂଖ୍ୟା ୬୧ ଲକ୍ଷ ୯୮ ହଜାର ୨୫କୁ ଖସି ଆସିଥିବା ବେଳେ ସରକାରୀ ବିଦ୍ୟାଳୟରେ ଏହି ସଂଖ୍ୟା ୫୧ ଲକ୍ଷ ୫୮ ହଜାର ୯୦୫କୁ ଖସିଆସିଛି। ଅନ୍ୟପଟେ ଘରୋଇ ବିଦ୍ୟାଳୟରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୁଇଗୁଣା ହୋଇ ୧୦ ଲକ୍ଷ ୩୯ ହଜାର ୧୨୦ରେ ପହଞ୍ଚିଛି।

ମଦ ବିକ୍ରି ବୃଦ୍ଧି ପାଇଁ ମଦ ବ୍ୟବସାୟୀଙ୍କୁ ପୁରସ୍କୃତ କରାଯାଉଛି, କ୍ରେତାଙ୍କୁ ନୁହେଁ। ସେହିପରି କେବଳ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ଯାତାୟତ ଖର୍ଚ୍ଚ, ଡ୍ରେସ୍, ସାଇକେଲ, ଅଣ୍ଡା ଆଦି ନ ଦେଇ ଶିକ୍ଷାର ଗୁଣାତ୍ମକ ମାନ କିଭଳି ବଢ଼ିବ ସେ ନେଇ ସରକାର ଚିନ୍ତା କରିବା କଥା। ଯୋଗ୍ୟ ଶିକ୍ଷକଙ୍କୁ ନିଯୁକ୍ତ କରିବା ସହ ବିଦ୍ୟାଳୟର ସଫଳତା ପାଇଁ ଶିକ୍ଷକଙ୍କୁ ମଧ୍ୟ ପୁରସ୍କୃତ କରାଯାଇ ପାରନ୍ତା। ନୂଆଦିଲ୍ଲୀରେ ସରକାରୀ ବିଦ୍ୟାଳୟ ସବୁ କିଭଳି ଘରୋଇ ବିଦ୍ୟାଳୟ ଠାରୁ ଆଗରେ ଅଛନ୍ତି ତାହା ଆମ ସରକାର ଦେଖିବା କଥା। ଆବଶ୍ୟକ ପଡ଼ିଲେ ଗୋଟିଏ ପ୍ରତିନିଧି ଦଳ ପଠାଇ ସରକାର ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ଉପରେ ଜ୍ଞାନ ଆହରଣ କରନ୍ତୁ।

ମଦ ବିକ୍ରି ପାଇଁ ସରକାରଙ୍କର ଯେଉଁ ତତ୍ପରତା ଓ ଉଦ୍ୟମ ତାହାର କେତେକାଂଶ ଶିକ୍ଷା କ୍ଷେତ୍ରରେ ପ୍ରୟୋଗ ହେଲେ ଓଡ଼ିଶାର ଶିକ୍ଷାବନ୍ୟା (ମଦବନ୍ୟା ନୁହେଁ) ଦେଖିବାକୁ ମିଳନ୍ତା। ଆଉ କେବଳ ଯଦି ରାଜସ୍ବ ଆୟ ଆଉ ଭୋଟରଙ୍କୁ ତାହାର ମାଗଣା ବଣ୍ଟନ ସରକାରଙ୍କ ଲକ୍ଷ୍ୟ ହୁଏ, ତେବେ ସରକାରଙ୍କ ପାଖରେ ବହୁ ସହଜ ପନ୍ଥା ଅଛି। ଭୁବନେଶ୍ବରରେ ବାଣୀବିହାର, ଖଣ୍ଡଗିରି, ମାଳିସାହି, ଆଇଜି ପାର୍କ ଭଳି ବହୁ ସ୍ଥାନରେ ବେଆଇନ ଦେହ ବେପାର ଚାଲିଛି। ସରକାର ସେ ସବୁକୁ ବି ଆଇନସମ୍ମତ କରିଦେଲେ ରାଜସ୍ବ ଅବକାରୀକୁ ବଳାଇଯିବ।

ନିଷ୍ପତ୍ତି ସରକାରଙ୍କର; ଟଙ୍କାର ପାହାଡ଼ ଉପରେ ବସି ମୁର୍ଖମାନଙ୍କର ରାଜା ହେବେ, ନା ଆଗାମୀ ପିଢ଼ିକୁ ଶିକ୍ଷିତ କରି ସେମାନଙ୍କ ହାତରେ ଟଙ୍କା ରୋଜଗାରର ମାଧ୍ୟମ ଖଞ୍ଜିବେ।

Comments are closed.