Odisha Link
Bridging the Missing Links in Odisha

ଦଶପଲ୍ଲାରେ ନକଲି ମାଓ ପୋଷ୍ଟର

ଦଶପଲ୍ଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୟାଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଆଁରିଆ ଡ୍ୟାମ୍‌ ନିକଟରେ ମାଓବାଦୀ ନାମରେ ୨ଟି ଧମକପୂର୍ଣ୍ଣ ପୋଷ୍ଟର୍‌କୁ ଜବତ କରିଛି ପୁଲିସ୍‌।

ଦଶପଲ୍ଲାରେ ବିଜେଡି ଟିକେଟ୍ ପାଇଥିବା ରମେଶ ବେହରାଙ୍କୁ ହତ୍ୟା କରାଯିବା ପାଇଁ ପୋଷ୍ଟରରେ ଧମକ ଦିଆଯାଇଛି। କୁଆଁରିଆ ମୃଗ ବିହାର ପାଚେରୀରୁ ଗୋଟିଏ ଏବଂ ଜଳସଂପଦ ବିଭାଗ ଡାକ ବଙ୍ଗଳା ନିକଟରୁ ଅନ୍ୟ ଏକ ପୋଷ୍ଟର ଜବତ ହେବା ପରେ ଥାନା ଅଧିକାରୀ ବିଶ୍ବଜିତ୍ ରାଉତରାୟ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

ପୋଷ୍ଟର୍‌ରେ ଉଲ୍ଲେଖ ଅଛି,

ଦଶପଲ୍ଲାବାସୀଙ୍କୁ ଜଣାଇ ଦିଆଯାଉଛି ଯେ ଦଶପଲ୍ଲାରୁ ବିଜେଡି ଟିକେଟ୍ ପାଇଥିବା ବ୍ୟକ୍ତି ରମେଶ ବେହେରାଙ୍କୁ ତୁରନ୍ତ ହତ୍ୟା କରାଯିବ। ଆମେ ଜନସାଧାରଣଙ୍କୁ ଜଣାଇ ଦେଲୁ ଓ ଦଶପଲ୍ଲା ଥାନା, ଜେଲ୍, କୋର୍ଟ ଉଡ଼େଇ ଦିଆଯିବ। ଗଣିଆ ଥାନା, ଦଶପଲ୍ଲା ଥାନା, ନୟାଗଡ଼ ଥାନା, ମହିପୁର ଥାନା, ନୂଆଗାଁ ଥାନା ତାରିଖ ୨୫.୩.୧୯ଠାରୁ ୧୦.୪.୧୯ ଭିତରେ ଆସିବୁ। ଦଶପଲ୍ଲା ଆଇଆଇସି ବିଶ୍ବଜିତକୁ ଉଡ଼େଇ ଦିଆଯିବ। ଆମେ ଦଶପଲ୍ଲା ଜଙ୍ଗଲରେ ଅଛୁ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ପୋଷ୍ଟର୍‌ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହାକୁ କୌଣସି ବ୍ୟକ୍ତି ଜାଣିଶୁଣି ଲଗାଇଥିବା ଅନୁମାନ କରିଛି ପୁଲିସ।

Comments are closed.