Odisha Link
Bridging the Missing Links in Odisha

ଭାରତୀୟ ତରୁଣୀଙ୍କ ପ୍ରେମରେ ପାକିସ୍ତାନୀ ଖେଳାଳି, ଅଗଷ୍ଟରେ ବାହାଘର

ଫରିଦାବାଦ: ଭାରତୀୟ ତରୁଣୀଙ୍କ ପ୍ରେମରେ ପଡ଼ିଛନ୍ତି ପୁଣି ଜଣେ ପାକିସ୍ତାନୀ କ୍ରିକେଟର୍। ପଡ଼ୋଶୀ ଦୋର ଫାଷ୍ଟ୍‌ ବୋଲର ହସନ୍‌ ଅଲ୍ଲୀ ହରିଆଣାର ଇଞ୍ଜିନିୟର ସାମିଆ ଆରଜୁଙ୍କ ପ୍ରେମରେ ପଡ଼ିଛନ୍ତି। ୨୫ ବର୍ଷିୟା ସାମିଆଙ୍କୁ ଆସନ୍ତା ଅଗଷ୍ଟ ତୃତୀୟ ସପ୍ତାହରେ ବିବାହ କରିବାକୁ ଯାଉଛନ୍ତି ୨୫ ବର୍ଷିୟ ହସନ୍। ଦୁବାଇର ଏକ ତାରକା ହୋଟେଲରେ ଏହି ବିବାହ ଉତ୍ସବ ହେବ ବୋଲି ଶାମିଆଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।

ଜଣେ ଭାରତୀୟ ସୁନ୍ଦରୀଙ୍କୁ ବିବହା କରିବାରେ ହସନ୍‌ ହେଉଛନ୍ତି ଚତୁର୍ଥ ପାକିସ୍ତାନୀ କ୍ରିକେଟ୍‌ ଖେଳାଳି। ପୂର୍ବରୁ ଜାହିର ଆବ୍ବାସ, ମୋହସିନ୍‌ ଖାନ୍‌ ଓ ଶୋଏବ୍‌ ମଲ୍ଲିକ ଭାରତୀୟ ତରୁଣୀଙ୍କୁ ବିବାହ କରିଥିଲେ।

ହରିଆଣାର ମେଓ୍ବାଟର ମୂଳନିବାସୀ ସାମିଆଙ୍କ ବାପା ଲିଆକତ ଅଲ୍ଲି ଫରିଦାବାଦରେ ବିଡିଓ ଥିଲେ ଓ ସେଇଠି ସେମାନେ ସପରିବାର ରହୁଛନ୍ତି। ଫରିଦାବାଦର ମାନବ ରଚନା ବିଶ୍ବବିଦ୍ୟାଳୟରୁ ଏରୋନଟିକ୍ସ ଇଂଜିନିୟରିଂରେ ସ୍ନାତକ ସମାପ୍ତ ପରେ ଇଂଲଣ୍ଡରେ ମଧ୍ୟ ପାଠ ପଢ଼ିଛନ୍ତି। ଜେଟ୍‌ ଏଆରଓ୍ବେଜରୁ ଚାକିରି ଆରମ୍ଭ କରିଥିବା ସାମିଆ ବର୍ତ୍ତମାନ ଦୁବାଇର ଏମିରେଟ୍ସ ଏଆରଓ୍ବେଜରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ପ୍ରାୟ ବର୍ଷେ ତଳେ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା ଓ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ଉଭୟ ପରିବାର ଏ ବାବଦରେ ଜାଣିବା ପରେ ପ୍ରେମ ବିବାହର ରୂପ ନେବାକୁ ଯାଉଛି। ଅଗଷ୍ଟ ୧୫-୧୬ ଆଡ଼କୁ ଉଭୟ ପରିବାର ଦୁବାଇରେ ପହଞ୍ଚିବେ ଓ ସେହି ସପ୍ତାହରେ ବିବାହ (ନିକାହ) ଉତ୍ସବ ଅନୁଷ୍ଠିତ ହେବ। ପରେ ବିବାହ ସ୍ବାଗତ ଉତ୍ସବ (ଓ୍ବାଲିମା) ଅନୁଷ୍ଠିତ ହେବ ବୋଲି ସାମିଆଭ୍କ ପରିବାର ଗଣମାଧ୍ୟମକୁ କହିଛନ୍ତି।

୭ ଭାଇ ଭଉଣୀଙ୍କ ମଧ୍ୟରେ ଷଷ୍ଠ ହେଉଛନ୍ତି ସାମିଆ। ତାଙ୍କ ଜେଜେଙ୍କ ଦାଦା ଖାନ୍‌ ବାହାଦୂର ଦେଶ ବିଭାଜନ ବେଳେ ପାକିସ୍ତାନ ଚାଲିଯାଇଥିଲେ ଓ ସେମାନଙ୍କ ପରିବାର ଏବେ ପାକିସ୍ତାନ କସୁର ଜିଲ୍ଲାର କୋଠି ନାୟକିରେ ରହୁଛନ୍ତି। ଖାନ୍‌ ବାହାଦୂରଙ୍କ ପୁଅ ସର୍ଦ୍ଦାର ତୁଫାଲି ପାକିସ୍ତାନ ରେଳ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ଓ ଏବେ ବି ଭାରତରେ ସାମିଆଙ୍କ ପରିବାର ସହ ସମ୍ପର୍କରେ ଅଛନ୍ତି। ସେମାନେ ମଧ୍ୟ ବିବାହରେ ସାମିଲ ହେଉଛନ୍ତି।

ସାମିଆ ଗତ ତିନି ବର୍ଷ ଧରି ଦୁବାଇରେ ରହୁଛନ୍ତିି ଓ ସେଇଠି ତାଙ୍କର ହସନଙ୍କ ସହ ଦେଖାସାକ୍ଷାତ ହୋଇଥିଲା।

Comments are closed.