Odisha Link
Bridging the Missing Links in Odisha

ସରିଲା ବାଲିଯାତ୍ରା: ଆସନ୍ତା ବର୍ଷକୁ ଅପେକ୍ଷା

କଟକ: ଗହଳଚହଳ, ରାସ୍ତା ଜାମ, ନାଚଗୀତରେ ଗଲା ୯ ଦିନ ଧରି ଦୁଲୁକୁଥିଲା କଟକ ସହର।  ସେ ସବୁର ଅନ୍ତ ଘଟିଛି। କଟକର ଐତିହାସିକ ବାଲିଯାତ୍ରା ଉଦ୍‌ଯାପିତ ହୋଇଛି। ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୯ ଦିନ ଧରି ଚାଲିଥିବା ଏହି ରାଜ୍ୟସ୍ତରୀୟ ମହୋତ୍ସବରେ ପୂର୍ବ ବର୍ଷମାନଙ୍କର ସବୁ ରେକର୍ଡ ଭାଙ୍ଗିଛି। ପଡିଆରେ ଅସମ୍ଭବ ଭିଡ଼ ହୋଇଥିବା ବେଳେ ବ୍ୟବସାୟ ପରିମାଣ ବି ୮୦ କୋଟି ଟଙ୍କା ଟପି ଥିବା ଆକଳନ କରାଯାଉଛି। କେବଳ ଓରମାସ ଜାତୀୟ ପଲ୍ଲୀଶ୍ରୀ ମେଳାରେ ଚଳିତ ବର୍ଷ ୧୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି।
ଗତ ରବିବାର ଦିନ ଓରମାସରେ ଅଢେଇ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଗତକାଲି ୨ କୋଟି ୩ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି। ପ୍ରଥମ ଦୁଇ ଦିନକୁ ବାଦ ଦେଲେ ଅନ୍ୟ ଦିନ ମାନଙ୍କରେ ହାରାହାରି ଭାବେ ଦେଢରୁ ଦୁଇ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଗତବର୍ଷ ବାଲିଯାତ୍ରାରେ ଓରମାସ ପରିସରରେ ୧୪ କୋଟି ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ପାଖାପାଖି କୋଟିଏ ଟଙ୍କା ବଢି ଯାଇଛି। ଓରମାସ ପରିସରରେ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ନେଇ ୭ ଶହ ଷ୍ଟଲ ପଡିଥିଲା। କିନ୍ତୁ ବାଲିଯାତ୍ରା ତଳ ଓ ଉପର ପଡିଆରେ ପାଖାପାଖି ୩ ହଜାରରୁ ଅଧିକ ଛୋଟ ବଡ଼ ବ୍ୟବସାୟୀ ବ୍ୟବସାୟ କରୁଥିବାରୁ ଏହି ହିସାବରେ ମୋଟ ବ୍ୟବସାୟ ୮୦ କୋଟି ଟଙ୍କା ଟପିଥିବା ଆକଳନ କରାଯାଉଛି। ସେହିଭଳି ୯ ଦିନରେ ୪୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବା ଆକଳନ କରାଯାଇଛି।

Comments are closed.