Odisha Link
Bridging the Missing Links in Odisha

ନିର୍ଭୟା: ଆସନ୍ତା ୧୭ରେ ରିଭ୍ୟୁ ଆବେଦନର ହେବ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ନିର୍ଭୟା ଦୁଷ୍କର୍ମକାରୀ ଅକ୍ଷୟ କରିଥିବା ରିଭ୍ୟୁ ଆବେଦନର। ୨୦୧୨ ମସିହାର ଏହି ମାମଲାରେ ସୁପ୍ରିମ୍‌କୋର୍ଟ ୨୦୧୭ ମସିହାରେ ଏହି ୪ ଜଣଙ୍କୁ ଦୋଷୀ ଦର୍ଶାଇ ତଳ କୋର୍ଟର ରାୟ କାଏମ ରଖିଥିଲେ। ନିର୍ଭୟା ଗଣଦୁଷ୍ମର୍ମ ଓ ହତ୍ୟା ମାମଲାରେ ୪ ଜଣ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ଅନ୍ୟତମ। ଏହି ମାମଲାର ସମସ୍ତ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ସୁପ୍ରିମ୍‌କୋର୍ଟ ୨୦୧୭ ମସିହାରେ ଟ୍ରାଏଲ କୋର୍ଟ ଦେଇଥିବା ଏବଂ ପରେ ଦିଲ୍ଲୀ ହାଇକୋର୍ଟରେ କାଏମ ରହିଥିବା ମୃତ୍ୟୁ ଦଣ୍ଡକୁ କାଏମ ରଖିଥିଲେ।

ଏହି ୪ ଜଣ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ବର୍ତ୍ତମାନ ଶୁଣାଯାଉଛି ଖୁବଶୀଘ୍ର ଏମାନଙ୍କ ଫାଶୀ ହୋଇପାରେ। ଏପରିକି ତିହାର ଜେଲ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ ଜେଲ ପ୍ରଶାସନ ଦ୍ୱାରା ନିଯୁକ୍ତ ୨ ଜଣ ହ୍ୟାଙ୍ଗମ୍ୟାନ୍‌ଙ୍କୁ ପଠାଇବାକୁ ଚିଠି ଲେଖିବା ଏହି ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି। ଡିସେମ୍ବର ୯ ତାରିଖରେ ଫ୍ୟାକ୍ସ ଯୋଗେ ଦୁଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏନେଇ ଯୋଗାଯୋଗ ହୋଇଛି। ତେବେ ଏଥିରେ ଫାଶୀ ପାଇବାକୁ ଥିବା ଦୋଷୀଙ୍କ ବାବଦରେ କିଛି ଲେଖାଯାଇନାହିଁ। ସୂଚନାଯୋଗ୍ୟ ଯେ, ମାମଲାରେ ପୱନ ଗୁପ୍ତା, ଅକ୍ଷୟ, ମୁକେଶ ସିଂହ ଏବଂ ବିନୟ ଶର୍ମା ଆଦି ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡାଦେଶ ପାଇଛନ୍ତି।

Comments are closed.