Odisha Link
Bridging the Missing Links in Odisha

ଜେଏନୟୁ ହିଂସା ପ୍ରସଙ୍ଗ: ପୁଲିସ୍‌, ଗୁଗଲ ଓ ହ୍ୱାଟସଆପକୁ ନୋଟିସ ଜାରି କଲେ କୋର୍ଟ

ନୂଆଦିଲ୍ଲୀ: ଆଜି ଜେଏନୟୁ ହିଂସାକାଣ୍ଡ ଉପରେ ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜେଏନୟୁ ହିଂସାକାଣ୍ଡ ଉପରେ ସମସ୍ତ ଭିଡିଓ, ସିସିଟିଭି ଫୁଟେଜ ଓ ଅନ୍ୟ ପ୍ରମାଣକୁ ସଂରକ୍ଷିତ କରି ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟ କରିଛନ୍ତି। ଜେଏନୟୁର ୩ ଜଣ ପ୍ରଫେସର ଏନେଇ ଆବେଦନ କରିଥିଲେ। କୋର୍ଟ ଏହାର ଶୁଣାଣି କରି ପୁଲିସ୍‌, ଦିଲ୍ଲୀ ସରକାର, ହ୍ୱାଟସଆପ, ଗୁଗଲ ଓ ଆପଲକୁ ନୋଟିସ୍‌ କରିଛନ୍ତି। ସେମାନେ ଏଭଳି ତଥ୍ୟ ସଂରକ୍ଷଣ ଉପରେ ତୁରନ୍ତ ମତ ରଖିବାକୁ କୋର୍ଟ କହିଛନ୍ତି।

ଶୁଣାଣି ବେଳେ ଦିଲ୍ଲୀ ପୁଲିସ୍‌ କହିଛି ଯେ ଆମେ ହିଂସାକାଣ୍ଡର ସିସିଟିଭି ଫୁଟେଜକୁ ସଂରକ୍ଷିତ ରଖିବା ପାଇଁ ଜେଏନୟୁ ପ୍ରଶାସନକୁ କହି ସାରିଛୁ। ଏଥିସହ ସିସିଟିଭି ଫୁଟେଜ ମଧ୍ୟ ଆମକୁ ଦେବାକୁ ପାଇଁ କହିଛୁ। ଏହାପରେ ବିଚାରପତି ଜଷ୍ଟିସ ବ୍ରିଜେଶ ସେଠୀ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ବୋଲି କହିଛନ୍ତି।

ଦିଲ୍ଲୀ ସରକାରଙ୍କ ଷ୍ଟାଣ୍ଡିଂ ଓକିଲ(ଅପରାଧ) ରାହୁଲ ମେହର କହିଛନ୍ତି ଯେ ପୁଲିସ୍‌ ଏଯାଏ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ତଥ୍ୟ ସଂରକ୍ଷିତ ସମ୍ପର୍କରେ କୌଣସି ଜବାବ ପାଇନାହିଁ। ଏଥିସହ ପୁଲିସ୍ ହ୍ୱାଟସଆପକୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିଲେ “ୟୁନିଟି ଏଗନେଷ୍ଟ ଲେପ୍ଟ” ଓ ଫ୍ରେଣ୍ଡ୍ସ ଅଫ ଆରଏସଏସ” ନାମକ ଦୁଇଟି ଯାକ ଗ୍ରୁପରେ ତଥ୍ୟ ସଂରକ୍ଷିତ କରି ରଖିବାକୁ ଚିଠି ଲେଖିଛି। ଏଥିରେ ଥିବା ଫଟୋ, ଭିଡିଓ ଓ ଫୋନ ନମ୍ବର ପୂର୍ବପରି ରଖିବାକୁ କୁହାଯାଇଛି। ତେଣୁ ଆସନ୍ତାକାଲି ସୁଦ୍ଧା ଏହା ଉପରେ କୋର୍ଟ ଚୂଡ଼ାନ୍ତ ଫୈସଲା ନେଇ ପାରନ୍ତି ବୋଲି କୁହାଯାଉଛି।

Comments are closed.