Odisha Link
Bridging the Missing Links in Odisha

ଜେଏନୟୁ ହିଂସା: ହ୍ୱାଟସଆପ ଗ୍ରୁପ୍‌ ମେମ୍ବରଙ୍କ ଫୋନ ଜବତ ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାନୁଆରୀ ୫ରେ ମୁଖାପିନ୍ଧା ୫୦ରୁ ଅଧିକ ଦୁର୍ବୃତ୍ତ ଜେଏନ୍‌ୟୁ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନଙ୍କୁ ମାଡ଼ ମାରିଥିଲେ। ଏଥିରେ ଜେଏନୟୁଏସୟୁ ସଭାପତି ଆଈଶୀ ଘୋଷଙ୍କ ସମେତ ୩୪ ଜଣ ଆହତ ହୋଇଥିଲେ। ଜେଏନୟୁ ଏସୟୁ ଏଥିପାଇଁ ଏବିଭିପି ଛାତ୍ର ସଂଗଠନକୁ ଦାୟୀ କରିଥିବା ବେଳେ ଏବିଭିପି ପାଲଟା ଅଭିଯୋଗ ଆଣିଛି। ଏହାକୁ ନେଇ ସାରା ଦେଶରେ ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ ଛାତ୍ର ସଂଗଠନ ମଧ୍ୟରେ ଛକାପଞ୍ଝା ଜାରି ରହିଛି।

ସୋମବାର ଏହି ହିଂସାକାଣ୍ଡ ଘଟଣାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଗୁଗଲ, ହ୍ୱାଟସଆପ ସମେତ ଏକାଧିକ ପକ୍ଷଙ୍କୁ ନୋଟିସ୍‌ କରିଥିଲେ। ଆଜି ହ୍ୱାଟସଆପ ପକ୍ଷରୁ କୋର୍ଟରେ କୁହାଯାଇଛି ଯେ କେବଳ ଗ୍ରୁପ୍‌ରେ ଥିବା ସଦସ୍ୟମାନଙ୍କ ଫୋନ ମିଳିଲେ ଆମେ ତଥ୍ୟ ସଂରକ୍ଷିତ କରିପାରିବୁ।

ଅନ୍ୟପଟେ ଜେଏନ୍‌ୟୁ ହିଂସା ଘଟଣାରେ ଆଜି ଦିଲ୍ଲୀ ହାଇକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ହିଂସା କାଣ୍ଡ ପୂର୍ବରୁ ଦୁଇଟି ହ୍ୱାଟସଆପ ଗ୍ରୁପ୍‌ରେ ଏନେଇ ଦୁର୍ବୃତ୍ତମାନେ କଥା ବାର୍ତ୍ତା ହୋଇଥିଲେ। ଗ୍ରୁପରେ ଥିବା ସମସ୍ତ ସଦସ୍ୟଙ୍କ ମୋବାଇଲ ଫୋନ ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି, “ୟୁନିଟି ଏଗନେଷ୍ଟ ଲେପ୍ଟ” ଓ ଫ୍ରେଣ୍ଡ୍ସ ଅଫ ଆରଏସଏସ” ନାମକ ଦୁଇଟି ହ୍ୱାଟସଆପ ଗ୍ରୁପ୍‌ରେ ଆକ୍ରମଣ ପୂର୍ବରୁ କଥାବାର୍ତ୍ତା ହୋଇଥିବା କିଛି ଚାଟିଂ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ଏବେ ପୁଲିସ୍‌ ଦୁଇଟି ଯାକ ଗ୍ରୁପ୍‌ରେ ଥିବା ସଦସ୍ୟମାନଙ୍କୁ ନିଜ ନିଜ ମୋବାଇଲ ଧରି ଆସିବାକୁ ସମନ କରିବ। ଏହାପରେ ମୋବାଇଲ ଫୋନ ଗୁଡ଼ିକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ମଧ୍ୟ କୋର୍ଟ କହିଛନ୍ତି। ଗୁଗଲ ଓ ହ୍ୱାଟସଆପ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ସମସ୍ତ ଫଟୋ, ମେସେଜ ଓ ଭିଡିଓକୁ ସଂରକ୍ଷିତ ରଖିବା ସହ ତଦନ୍ତ ବେଳେ ଏହାକୁ ପୁଲିସ୍‌କୁ ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.