Odisha Link
Bridging the Missing Links in Odisha

କ୍ରୀଡା ମନ୍ତ୍ରୀଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍‌ର ସମୀକ୍ଷା ବୈଠକ

ଭୁବନେଶ୍ୱର : ଚଳିତ ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍‌-୨୦୨୦ର ସଫଳ ଆୟୋଜନ ଲାଗି ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଏହି ମେଗା ଇଭେଣ୍ଟର ଆୟୋଜନ ଲାଗି କ’ଣସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେ ସଂପର୍କରେ ମନ୍ତ୍ରୀ ବେହେରା ତଦାରଖ କରିଥିଲେ । ଖେଳାଳୀମାନେ ଆସିବାଠାରୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ସୁ ପରିଚାଳନା ନେଇ ମନ୍ତ୍ରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ଉଦ୍‌ଘାଟନ ଏବଂ ଉଦ୍‌ଯାପନ ଉତ୍ସବର ସଫଳ ଆୟୋଜନ, କଳିଙ୍ଗ ଷ୍ଟାଡିୟମ୍‌, କିଟ୍‌, କଟକ ସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ ଆଦି ବିଭିନ୍ନ ସ୍ଥାନରେ ହେବାକୁ ଥିବା ଖେଳର ଆୟୋଜନ ଲାଗି କ’ଣ ପ୍ରସ୍ତୁତି ହୋଇଛି ସେ ବିଷୟରେ ମନ୍ତ୍ରୀ ବେହେରା ବରିଷ୍ଠ ଅଧିକାରୀମାନଙ୍କଠାରୁ ଅବଗତ ହୋଇଥିଲେ ।

ବର୍ତ୍ତମାନ ସୁଦ୍ଧା ୧୭୭ଟି ବିଶ୍ୱବିଦ୍ୟାଳୟ ନାମାଙ୍କନ କରିଥିବାବେଳେ ୩୦୦୦ ପାଖା ପାଖି ଖେଳାଳୀ ଓ ଅଫିସିଆଲ୍‌ ଏଥିରେ ଅଂଶଗ୍ରହଣ କରିବାର ଆଶା ରହିଛି । ଖେଳାଳୀ ଓ ଅଫିସିଆଲ୍‌ମାନଙ୍କୁ ପାଇଁ କିଟ୍‌ରେ ରହିବାର ବ୍ୟବସ୍ଥା କରାଯାଇଛି ।

ଏଥିରେ ହେବାକୁ ଥିବା ୧୭ଟି ଇଭେଣ୍ଟ ମଧ୍ୟରୁ ୨ଟି କଟକରେ ଖେଳାଯିବାକୁ ଥିବାବେଳେ ଅନ୍ୟ ଇଭେଣ୍ଟଗୁଡ଼ିକ କଳିଙ୍ଗ ଷ୍ଟାଡିୟମ୍‌, କିଟ୍‌ ଏବଂ ସାଇ ଇଣ୍ଟରନ୍ୟାସନାଲ୍‌, ବାରଙ୍ଗରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ଫେବୃଆରୀ ୨୧ ତାରିଖରେ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଏହି ଖେଳ ପ୍ରତିଯୋଗିତାର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମେଗା ଇଭେଣ୍ଟର ସଫଳ ଆୟୋଜନ ସହ ଏଠାକୁ ଆସୁଥିବା ପ୍ରତ୍ୟେକ ଖେଳାଳୀ ଓ ଅଫିସିଆଲ୍‌ ଏକ ଭଲ ଅନୁଭବ ନେଇ ଯିବେ ତାହାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟକୁ ସଫଳତାର ସହ ଆୟୋଜନ ଲାଗି କ୍ରୀଡ଼ା ବିଭାଗ, ସାଇ, କିଟ୍‌ ଏବଂ ଖେଳ ଅୟୋଜନକାରୀ ସଂସ୍ଥା ସଜାଗ ରହିବାକୁ ମନ୍ତ୍ରୀ ବେହେରା କହିଥିଲେ ।

ଓଡ଼ିଶାରେ କ୍ରୀଡ଼ାକୁ ଶିଖରରେ ପହଞ୍ଚାଇବାର ଯେଉଁ ଲକ୍ଷ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଛନ୍ତି, ତାହାର ସଫଳ ରୂପାୟନ ସହ ରାଜ୍ୟର ଗରିମାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ କ୍ରୀଡ଼ା ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ମନ୍ତ୍ରୀ ବେହେରା ଆହ୍ୱାନ ଦେଇଥିଲେ ।

Comments are closed.