Odisha Link
Bridging the Missing Links in Odisha

ଚତୁର୍ଥ ଅଲୌକିକ କଳିଙ୍ଗ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର : ଚତୁର୍ଥ ଅଲୌକିକ କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ଵିତୀୟ ତଥା ଶେଷ ଦିବସରେ ରହସ୍ୟବାଦୀ ସାହିତ୍ୟ , ଭାରତୀୟ ତଥା ଓଡିଆ ସଂସ୍କୃତି ଉପରେ ଏହାର ପ୍ରଭାବ ଓ ଓଡିଆ
ସାହିତ୍ୟ ଉପରେ ଅନେକ ଆଲୋଚନା ଦେଖିବାକୁ ମିଳିଥିଲା ।

ମହୋତ୍ସବର ଶେଷ ଦିବସରେ ସାହିତ୍ୟରୁ ନାଟକ ପ୍ରସ୍ତୁତି ସମ୍ପର୍କରେ ଏକ ଆଲୋଚନା ଲେଖକ ଗୌରହରି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନାଟ୍ୟ ନିର୍ଦ୍ଦେଶକ ପବିତ୍ର ମହାନ୍ତି ଅଂଶଗ୍ରହଣ କରି କହିଥିଲେ ଯେ ନାଟ୍ୟ କାରମାନେ ଯେତେ ପରିମାଣରେ ସାହିତ୍ୟିକଙ୍କ ସହ ଆଲୋଚନା ପାଇଁ ଆଗ୍ରହୀ, ସାହିତ୍ୟିକମାନେ ସେତେ ଆଗ୍ରହୀ ନୁହନ୍ତି ।

ଏହାର କାରଣ ସମ୍ପର୍କରେ ଆଲୋଚନା କରି ଗାଳ୍ପିକ ଅରବିନ୍ଦ ରାୟ କହିଥିଲେ ଯେ ଅନେକ ଗାଳ୍ପିକ ଚାହାନ୍ତି ନାହିଁ ସେମାନଙ୍କ ଗଳ୍ପକୁ ନେଇ ନାଟକ ବା ଫିଲ୍ମ ତିଆରି ହେଉ । କାରଣ ମୂଳରଚନାର ମୌଳିକତା ଏଥିରେ ନଷ୍ଟ ହୁଏ ବୋଲି ସେମାନଙ୍କ ମତ ।

ତେବେ ଗାଳ୍ପିକ ଓ ନିର୍ଦ୍ଦେଶକଙ୍କ ଭିତରେ ସମନ୍ଵୟ ରହିଲେ ରଚନାର ମୌଳିକତ୍ଵ ରହିବା ସହିତ ଉତ୍ତମ ନାଟକ ପରିବେଷଣ ହୋଇପାରିବ ବୋଲି ଅଧିବେଶନରେ ଭାଗ ନେଇଥିବା ସଦସ୍ୟଗଣ ମତ ବ୍ୟକ୍ତ କରିଥିଲେ । ଦୁଇଦିନିଆ ଅଲୌକିକ କଳିଙ୍ଗ ମହୋତ୍ସବର ଶେଷ ଦିବସରେ ଭୀମ ଭୋଇଙ୍କ ରଚନାରେ ରହସ୍ୟବାଦ, ଶାସ୍ତ୍ରୀୟ ନୃତ୍ୟ ପରମ୍ପରା, କବିତାରେ ଉଲ୍ଲାସ ଓ ଶକ୍ତି ପରମ୍ପରା ତଥା ଶାସ୍ତ୍ରୀୟ ସଂଗୀତ ଆସରକୁ ନେଇ ଆଠଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

ଦୁଇଦିନରେ ମୋଟ ୧୫ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଶକ୍ତି ବା ଶାକ୍ତ ପରମ୍ପରା ଉପରେ ଅନୁଷ୍ଠିତ ଆଲୋଚନାରେ ଭାଗ ନେଇ ଶକ୍ତି ଓ ତନ୍ତ୍ର ପରମ୍ପରା କେବଳ ଯୌନତା ସହିତ ଜଡିତ ନୁହେଁ ବକ୍ତାମାନେ ମତ ପ୍ରକାଶ କରିଥିଲେ ।

ଏ ବିଷୟରେ ଆଲୋଚନା କରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟର ସହକାରୀ ପ୍ରାଧ୍ୟାପକ ତଥା ଗାୟିକା ଆଦ୍ୟାଶା ଦାସ କହିଥିଲେ ଯେ ଭୁବନେଶ୍ୱର ନିକଟସ୍ଥ ଚଉଷଠି ଯୋଗିଣୀ ମନ୍ଦିର ତନ୍ତ୍ର ପରମ୍ପରାର ହୋଇଥିଲେ ମଧ୍ୟ ସେଥିରେ ଯୌନତାର ଝଲକ ଦେଖିବାକୁ ମିଳେ ନାହିଁ । ଏଣୁ ଏହା ଏକ ଭୁଲ ଧାରଣା ।

ଅଲୌକିକ କଳିଙ୍ଗ ମହୋତ୍ସବରେ ପ୍ରଥମ ଥର ପାଇଁ ହେଉଥିବା ମିଷ୍ଟିକ ମାଇକ କାର୍ଯ୍ୟକ୍ରମରେ ଚଳିତ ବର୍ଷ ଅନେକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମହୋତ୍ସବର ବିଭିନ୍ନ ଅଧିବେଶନ ସହିତ ମିଷ୍ଟିକ ମାଇକ କାର୍ଯ୍ୟକ୍ରମରେ ସମାନ୍ତରାଳ ଭାବେ ଅନେକ କଳାକାର ଗୀତ ଓ ସଙ୍ଗୀତ ଓ ଲୋକଗୀତ ତଥା କବିତା ପରିବେଷଣ କରିଥିଲେ । ଦୁଇଦିନରେ ପ୍ରାୟ ୨୦୦ ପ୍ରାର୍ଥୀ ଯୋଗ ଦେଇ ଥିଲେ ।

ଏହି ଭକ୍ତି, ଆଧ୍ୟାତ୍ମବାଦ ଓ କଳାର ଏହି ମହୋତ୍ସବର ପ୍ରଥମ ଦିବସରେ କଥାକାର ତଥା ଚଳିତ ବର୍ଷ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ଦ୍ଵିଭାଷୀ ଲେଖକ ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ।

ପୁରସ୍କାର ବାବଦରେ ଦାସଙ୍କୁ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଅଲୌକିକ କଳିଙ୍ଗ ମହୋତ୍ସବର ପ୍ରଥମ ଦିବସରେ ସାହିତ୍ୟ କୃତି ମନ୍ଥନ୍, ଭକ୍ତିବାଦ, ପଞ୍ଚସଖା ସାହିତ୍ୟ, ଲେଖକଙ୍କ ସହିତ ଆଲୋଚନା, ସୁଫି ସଙ୍ଗୀତ ପରିବେଷଣ ଆଦି ସାତଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

Comments are closed.