Odisha Link
Bridging the Missing Links in Odisha

ଅନୁପଙ୍କୁ ଫାଶି ହେଉ : କଳ୍ପନାଙ୍କ ସ୍ବାମୀ

ଭୁବନେଶ୍ବର: ମୁହଁ ଖୋଲିଲେ ମୃତ କଳ୍ପନା ଦାସଙ୍କ ସ୍ବାମୀ। କଳ୍ପନାଙ୍କ ସହ ଡିଭୋର୍ସ ହୋଇଥିବା ସୁନୀଲ ଶ୍ରୀବାସ୍ତବଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। କଳ୍ପନା ଜଣେ ଉଚ୍ଛାଭିଳାଷୀ ମହିଳା ଥିଲେ। ବଡ଼ ସ୍ବପ୍ନ ଦେଖିଥିଲେ। ଏନେଇ କଳ୍ପନାଙ୍କ ସ୍ବାମୀ କହିଛନ୍ତି ଯେ, ଆମେ ପ୍ରେମ ବିବାହ କରିଥିଲୁ। ବାହାଘର ପରେ ଆମ ଘରେ ରହୁନଥିଲୁ। ବାପା ମାଆଙ୍କ ଯତ୍ନ ନେଉନଥିଲେ ଓ କଳି ଝଗଡ଼ା ହେଉଥିଲା। ୨୦୦୪ରୁ ଆଲଗା ରହୁଥିଲୁ ହେଲେ ୨୦୧୧ରେ ଡିଭୋର୍ସ ହୋଇଥିଲା। ଡିଭୋର୍ସ ପରେ ଜାଣିଲି ସେ ଅନୁପ ସାଏଙ୍କ ପାଖରେ ରହୁଛି। ମୋ ଝିଅ ବି ତାଙ୍କ ସାଥିରେ ରହୁଥିବାରୁ ମୁଁ ଦେଖା କରିବାକୁ ଯାଏ। କିନ୍ତୁ ମୋତେ ଦେଖା କରାଇ ଦିଅନ୍ତିନି ବରଂ ଗାଳିଗୁଲଜ କରନ୍ତି। ପ୍ରଥମେ ଅନୁପ ସାଏ ତାଙ୍କୁ ନେଇ କଟକ ସିଡିଏରେ ରଖାଇଥିଲେ। ପରେ କଟକରୁ ଆଣି ଭୁବନେଶ୍ବର ସୁନ୍ଦରପଦାରେ ରଖାଇଥିଲେ। କେବଳ ବଡ଼ ସ୍ବପ୍ନ ଏବଂ ଉଚ୍ଚାଭିଳାଷ ପାଇଁ କଳ୍ପନାଙ୍କ ଜୀବନ ଗଲା। କିନ୍ତୁ ବିନା ଦୋଷରେ ମୋ ଝିଅକୁ ଅନୁପ ସାଏ ହତ୍ୟା କରିଛନ୍ତି। ଛୋଟ ଝିଅଟିକୁ ହତ୍ୟା କରିଥିବାରୁ ତାଙ୍କୁ ଫାଶି ହେଉ ବୋଲି କହିଛନ୍ତି କଳ୍ପନାଙ୍କ ସ୍ବାମୀ।

ପ୍ରକାଶ ଯେ, ଦୁଇ ବର୍ଷ ତଳେ ଘଟିଥିବା ହତ୍ୟାକାଣ୍ଡରୁ ପରଦା ଉଠାଇଲେ ନିଜେ ଅଭିଯୁକ୍ତ ତଥା ଝାରସୁଗୁଡ଼ା ଜିଲ୍ଲାର ଟାଣୁଆ ଚେହେରା ଅନୁପ ସାଏ। ବ୍ରଜରାଜନଗର ତିନି-ତିନି ଥର ବିଧାୟକ ଥିବା ଅନୁପ ସାଏ ପରକୀୟା ପ୍ରୀତି ପାଇଁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ସିନ୍ଦୁର ଦେବାକୁ କହି ଜଙ୍ଗଲରେ ହିଁ କଳ୍ପନାଙ୍କୁ ରାସ୍ତାରୁ ସଫା କରିଦେଇଥିଲେ ଅନୁପ ସାଏ। ଗିରଫ ପରେ ଆଜି ଛତି଼ଶଗଡ଼ ପୋଲିସ୍ ହତ୍ୟାକାଣ୍ଡ ନେଇ ପ୍ରେସମିଟ୍ କରିଛି।

ଖୋଲୁଛି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରକୀୟା ପ୍ରୀତି ଓ ବୀଭତ୍ସ ହତ୍ୟାକାଣ୍ଡର ରହସ୍ୟ। ଅନୁପଙ୍କୁ ଗିରଫ କରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଛତିଶଗଡ ପୋଲିସ କହିଛି ଅନୁପ ହିଁ ନିଜେ କଳ୍ପନା ଓ ତାଙ୍କ ଝଅକୁ ହତ୍ୟା କରିଥିଲେ। ଉଭୟଙ୍କୁ ପ୍ରଥମେ ଏକ ଲୁହା ରଡରେ ପିଟିବା ପରେ ବୋଲେରୋ ଗାଡି ଚଢ଼ାଇ ଦେଇଥିଲେ। ଏପରିକି ଏହାକୁ ନିଜେ ଅନୁପ ସ୍ୱୀକାର କରିଥିବା ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ ୨୦୦୫ରେ ମୃତ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ଛାଡପତ୍ର ଦେଇଥିଲେ। ଏହି ସମୟରେ କଳ୍ପନା ସହ ଅନୁପଙ୍କ ସମ୍ପର୍କରେ ଆସିଥିଲେ। ଏବଂ ଧୀରେ ଧୀରେ କଳ୍ପନା ଓ ଅନୁପଙ୍କ ସମ୍ପର୍କ ବଢ଼ିଥିଲା। ସେହି ସମୟରେ ଅନୁପ ବିଧାୟକ ଥିବାରୁ ସେ ଭୁବନେଶ୍ୱରର ସୁନ୍ଦରପଦା ଅଂଚଳରେ ରହୁଥିଲେ। ଏବଂ ତାଙ୍କ ସାଙ୍ଗରେ କଳ୍ପନା ରହୁଥିଲେ।
କଳ୍ପନା ବିବାହ ପାଇଁ ଜିଦ୍ ଧରିବାରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ପୂର୍ବରୁ ଅନୁପଙ୍କର ପରିବାର ଥିବାରୁ ସେ କଳ୍ପନାଙ୍କୁ ବାଟରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିଲେ। ଯୋଜନା ପୂର୍ବକ କଳ୍ପନାକୁ ରାୟଗଡ ନେବା ବାଟରେ ତାଙ୍କୁ ଓ ତାଙ୍କ ଝିଅକୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଦେହକୁ ଏଭଳି ବିକୃତ କରିଥିଲେ ଯେ ଚିହ୍ନଟ କରିବା ପାଇଁ ପୋଲିସକୁ ଗୋଟିଏ ବର୍ଷ ଲାଗି ଯାଇଥିଲା । ଆଉ ମୃତକଙ୍କ କଲ ଡିଟେଲ୍ସ ଯାଂଚରୁ ଅନୁପ ସନ୍ଦେହ ଘେରକୁ ଆସିଥିଲେ। ତାପରେ ଅନୁପଙ୍କ ଉପରେ ଦୀର୍ଘ ଦିନ ଧରି ନଜର ରଖିଥିଲା ଛତିଶଗଡ ପୋଲିସର ଏକ ସାଇବର ଟିମ୍ ।

ଆଉ ପ୍ରମାଣ ପାଇବା ପରେ ବୁଧବାର ଅନୁପଙ୍କୁ ଉଠାଇ ନେଇଥିଲା ଛତିଶଗଡ ପୋଲିସ। ଆଉ ଗତକାଲି ଦିନ ତମାମ ପଚରାଉଚରା ପରେ ତାଙ୍କୁ ଗିରଫ କରିଛି। ୨୦୧୬ରେ ଝାରସୁଗୁଡା -ଛତିଶଗଡ ସୀମାରେ କଳ୍ପନା ଓ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିଲା। ସେବେଠୁ ଏହି ହତ୍ୟାକାଣ୍ଡର ଖୋଳତାଡ କରୁଥିଲା ଛତିଶଗଡ ପୋଲିସ। ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କେହି ରହିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ପାଇଁ ଷଡଯନ୍ତ୍ର ଓ ତଥ୍ୟ ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ। ତାଙ୍କ ବିରୋଧରେ ୩୦୨, ୧୨୦ ବି, ଓ ୨୦୧ ଦଫା ଲଗାଇଛି ଛତିଶଗଡ ପୋଲିସ୍।

Comments are closed.