Odisha Link
Bridging the Missing Links in Odisha

ଭାରତ ଗସ୍ତ ଅତି ଚମତ୍କାର : ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ଏହି ବୈଠକ ପରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଭାରତ ମାଟିରେ ଭାରତୀୟମାନେ ତାଙ୍କୁ ଯେପରି ଅଦ୍ଭୁତପୂର୍ବ ଭାବେ ସ୍ୱାଗତ କରିଛନ୍ତି ତାହା ଅବିସ୍ମରଣୀୟ। ଏଥିପାଇଁ ପ୍ରତ୍ୟେକ ଆମେରିକୀୟ ଗର୍ବିତ ହେବା ସହ ଭାରତ ଓ ଭାରତୀୟଙ୍କ ନିକଟରେ କୃତଜ୍ଞ। ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଓ ବନ୍ଧୁତ୍ୱ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ଏ ସଂପର୍କ ଆଗାମୀ ଦିନରେ ଆହୁରି ଆଗକୁ ବଢ଼ିବ। ସମଗ୍ର ବିଶ୍ୱ ପାଇଁ ଏକ ଉଦାହାରଣ ସୃଷ୍ଟି କରିବ।

କେବଳ ସାମରିକ ନୁହେଁ, ବାଣିଜ୍ୟିକ, ଆର୍ଥିକ, ଶକ୍ତି, ବିଶ୍ୱ ଯୋଗାଯୋଗ ଠାରୁ ଆରମ୍ଭ କରି ସାଂସ୍କୃତିକ ପର୍ଯ୍ୟୃନ୍ତ ସବୁ କ୍ଷେତ୍ରରେ ଉଭୟ ଦେଶ ଏବେ ମିଳିତ ଭାବେ କାର୍ଯ୍ୟ କରିବେ। ଭାରତକୁ ସାମରିକ ହେଲିକପ୍ଟର ବିକ୍ରୟ ନିମନ୍ତେ ଆଜି ଆମେରିକା ୩ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ କରିଛି। ଏଣିକି ଆମେରିକା କେବଳ ମାତ୍ର ସାମରିକ ଯୁଦ୍ଧାସ୍ତ୍ର ଓ ସରଞ୍ଜାମ ଭାରତକୁ ବିକ୍ରୟ କରିବ ନାହିଁ ବରଂ ଏହାକୁ ନିର୍ମାଣ କରିବାର ଜ୍ଞାନ କୌଶଳ ମଧ୍ୟ ଦେବ। ଶକ୍ତି କ୍ଷେତ୍ରରେ ଭାରତର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ। ଭାରତୀୟ ମହିଳା ଶିଳ୍ପଦ୍ୟୋଗୀ ଓ ଭାରତୀୟ ମହିଳାମାନଙ୍କର ସଶକ୍ତିକରଣ ଦିଗରେ ଆମେରିକା ଭାରତକୁ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବ। ଏଥିସହ ବିଶ୍ୱରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏବେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି।

Comments are closed.